ରାସ୍ତାରେ ନମାଜ ଓ ଆରତୀ ବ୍ୟାନ୍‌

ଆଲିଗଡ଼: ମୁସଲିମ୍‌ ସଂପ୍ରଦାୟର ଲୋକମାନେ ରାସ୍ତା ଉପରେ ନମାଜ ପାଠ କରୁଥିବା ଅଭିଯୋଗ କରି କିଛି ନିଦ୍ଦିଷ୍ଟ ଧର୍ମର ଲୋକ ରାଜରାସ୍ତାକୁ ଓହ୍ଲାଇଥିଲେ। ଅଭିଯୋଗକାରୀମାନେ ରାସ୍ତା ଉପରେ ପ୍ରତି ମଙ୍ଗଳବାର ଓ ଶନିବାର ରାସ୍ତା ଉପରେ ହନୁମାନ ଚାଳିଶା ଏବଂ ମହାଆରତୀ ମାନ ଆୟୋଜନ କରିଥିଲେ।

ଏହାକୁ ନେଇ ବିବାଦ ଉପୁଜିବାରୁ ଆଲିଗଡ଼ ପ୍ରଶାସନ ଏବେଠାରୁ ରାସ୍ତା ଉପରେ ନମାଜ ପାଠ କିମ୍ବା ଆରତୀ ଭଳି ଧାର୍ମିକ କାର୍ଯ୍ୟ ହୋଇପାରିବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଛି।

ଆଲିଗଡ଼ ଜିଲ୍ଲାପାଳ ସିବି ସିଂହ କହିଛନ୍ତି, “ଏହି ନିୟମ ପାଳନ କରିବାକୁ ସମସ୍ତେ ବାଧ୍ୟ। ଅବଶ୍ୟ ଇଦ୍‌ ପରି ବଡ଼ ପର୍ବ ବେଳେ ଲୋକମାନେ ରାସ୍ତା ଉପରେ ଏକାଠି ହୋଇପାରିବେ। ତେବେ ପୂର୍ବ ଅନୁମତି ବିନା କୌଣସି ଧାର୍ମିକ କାର୍ଯ୍ୟକ୍ରମ ରାସ୍ତା ଉପରେ ହୋଇପାରିବ ନାହିଁ।

ସମସ୍ତଙ୍କୁ ସେମାନଙ୍କ ନିଜ ଧର୍ମକୁ ସମ୍ମାନ ଓ ପାଳନ କରିବାର ଅଧିକାର ରହିଛି। ହେଲେ ସେମାନେ ରାସ୍ତା ଉପରେ ନିଜ ଧର୍ମର ନୀତି ନିୟମକୁ ପାଳନ କରିବା ପାଇଁ ଏକାଠି ହୋଇପାରିବେ ନାହିଁ। ଦିନକୁ ଦିନ ରାସ୍ତା ଉପରେ ଅଧିକରୁ ଅଧିକ ଧାର୍ମିକ କାର୍ଯ୍ୟକ୍ରମ କରାଯାଉଥିବାରୁ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଥିଲା।

ମୁଁ ସବୁ ଧର୍ମର ପ୍ରତିନିଧିଙ୍କ ସହ ଆଲୋଚନା କରିଛି। ଏହାପରେ ପ୍ରଶାସନ ରାସ୍ତା ଉପରେ ନମାଜ ଓ ଆରତୀ ଉପରେ ବ୍ୟାନ୍‌ ଲାଗୁ କରିଛି।”

ବିଭିନ୍ନ ଦକ୍ଷିଣ ପନ୍ଥୀ ସଂଗଠନ ବିଶେଷ କରି ବଜରଙ୍ଗ ଦଳ ପକ୍ଷରୁ ପ୍ରତି ମଙ୍ଗଳବାର ଓ ଶନିବାର ବିଭିନ୍ନ ହିନ୍ଦୁ ମନ୍ଦିର ଆଗରେ ହନୁମାନ ଚାଳିଶା ଏବଂ ଆରତୀ ଆୟୋଜନ କରାଯାଉଥିଲା। ଏଥିରେ ଶହଶହ ଲୋକ ଯୋଗ ଦେଉଥିଲେ। ଯେଉଁଥିପାଇଁ ଟ୍ରାଫିକ ସମସ୍ୟା ଓ ବିବାଦ ମଧ୍ୟ ସୃଷ୍ଟି ହେଉଥିଲା।