ତୃତୀୟ ବିଶ୍ୱଯୁଦ୍ଧ ହେଲେ କେଉଁଠି ରହି ଯୁଦ୍ଧ ପରିଚାଳନା କରିବେ ରାଷ୍ଟ୍ରପତି

ତୃତୀୟ ବିଶ୍ୱଯୁଦ୍ଧ କେତେବେଳେ ହୋଇପାରେ! ଉତ୍ତରକୋରିଆର ବିବାଦୀୟ ଏକଛତ୍ରବାଦୀ ଶାସକ କିମ୍‌ ଜଙ୍ଗ ଆମେରିକାକୁ ବିଭିନ୍ନ ସମୟରେ ପରମାଣୁ ବୋମାର ଧମକ ଦେବା ପରେ ଏଭଳି ସ୍ଥିତି ଉପୁଜିଛି। ତେବେ ଉତ୍ତରକୋରିଆକୁ ସାବାଡ କରିବା ପାଇଁ ଆମେରିକା ପ୍ରସ୍ତୁତ କରି ସାରିଛି ବ୍ଲୁ ପ୍ରିଣ୍ଟ। ଯଦି କେବେ ଆମେରିକା ଉପରେ କୌଣସି ଦେଶ ପରମାଣୁ ବୋମା ନିକ୍ଷେପ କରେ ସେଥିରୁ ମୁକୁଳିବାକୁ ବାଟ ଖୋଜି ସାରିଛି ଆମେରିକା। ପରମାଣୁ ଯୁଦ୍ଧ ସମୟରେ ରାଷ୍ଟ୍ରପତିଙ୍କ ସହ ଅନ୍ୟ ନେତୃବୃନ୍ଦ ଓ ସୈନ୍ୟ ବାହିନୀର ବରିଷ୍ଠ ଅଧିକାରୀଙ୍କୁ ସୁରକ୍ଷିତ ରଖିବା ପାଇଁ ଆମେରିକା ବିଭିନ୍ନ ଗୁପ୍ତ ସ୍ଥାନରେ ବଙ୍କର ତିଆରି କରିଛି। ପାହାଡକୁ କାଟି ନିର୍ମାଣ କରାଯାଇଛି ଗୁପ୍ତ ବଙ୍କର। ଦୀର୍ଘ ୧ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି ଏହି ଗୁପ୍ତ ବଙ୍କର।

ଆମେରିକାର କନଷ୍ଟ୍ରକସନ ଅଫିସର ଗ୍ୟାରେଟ ଗ୍ରାଫ୍‌ ନ୍ୟୁୟର୍କ ପୋଷ୍ଟକୁ ଦେଇଥିବା ସୂଚନା ଅନୁଯାୟୀ ଆମେରିକା କୋଲାରାଡୋ ସ୍ଥିତ ମାଉଣ୍ଟେନ କମ୍ପ୍ଲେକ୍ସରେ ଏକ ଗୁପ୍ତ ବଙ୍କର ତିଆରି କରିଛି। ତେବେ ଏହି ବଙ୍କର ୧୯୪୮ ମସିହାରେ ନିର୍ମିତ ହୋଇଥିଲା। ପାହାଡର ୫୦ ମିଟର ତଳେ ପ୍ରାୟ ୧ କିଲୋମିଟର ଅଞ୍ଚଳରେ ପରିବ୍ୟାପ୍ତ ଏହି ବଙ୍କର। ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ବଙ୍କର ମଧ୍ୟରେ ନ୍ୟୁକ୍ଲିୟର ମିସାଇଲ୍‌ ସହ ବିଭିନ୍ନ ଯୁଦ୍ଧ ସରଞ୍ଜାମ ମଧ୍ୟ ରହି ପାରିବ।

ଏକକାଳୀନ ୧୪୦୦ ଲୋକ ରହିପାରୁଥିବା ଏହି ବଙ୍କର ମଧ୍ୟରେ ହାଇଟେକ୍‌ ମେଡିକାଲ ବ୍ୟବସ୍ଥା ରହିଛି। ତେବେ ୧୯୯୧ରେ ଏହି ବଙ୍କରକୁ ଆଧୁନୀକରଣ କରାଯାଇଛି। ଯାହାଫଳରେ ଯୁଦ୍ଧ ସମୟରେ ମାସ ମାସ ଧରି ଏହି ବଙ୍କର ମଧ୍ୟରେ ରାଷ୍ଟ୍ରପତିଙ୍କ ସହ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ ଆରାମରେ ବାସ କରି ପାରିବେ।  ଏହି ବଙ୍କରର ଆଧୁନୀକରଣ ପାଇଁ ଆମରିକା ସରକାର ପ୍ରାୟ ୪୦୦୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ଏହା ଦ୍ୱାରା ବର୍ତ୍ତମାନ ଏହି ବଙ୍କର ମଧ୍ୟରେ ପ୍ରାୟ ୫୦୦୦ ଲୋକ ଏକ ସମୟରେ ରହି ପାରିବେ।  ଯୁଦ୍ଧ ସମୟରେ ଏହି ପରମାଣୁ ବୋମା ନିରୋଧୀ ବଙ୍କରରେ ଯେଉଁ ବ୍ୟକ୍ତି ରହିବେ ତାଙ୍କ ପାଇଁ ଏକ ନିୟମ ମଧ୍ୟ ରହିଛି। ବଙ୍କରରେ ଯେଉଁମାନେ ରହିବେ ସେମାନେ ପରିବାରର କୌଣସି ବି ସଦସ୍ୟଙ୍କୁ ସାଙ୍ଗରେ ନେଇ ପାରିବେ ନାହିଁ ବଙ୍କର ଭିତରକୁ।
ଭର୍ଜିନିଆ ମଧ୍ୟ ପିଟର୍ସ ପାହାଡ ଭିତରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ କରିଛି ଏହିଭଳି ବଙ୍କର। ନ୍ୟୁୟର୍କ ପୋଷ୍ଟ ସୂଚନା ଅନୁଯାୟୀ ଆମେରିକାର ରାଷ୍ଟ୍ରପତି ବାସ କରୁଥିବା ହ୍ୱାଇଟ୍‌ ହାଉସ ତଳେ ମଧ୍ୟ ଏହିପରି ବଙ୍କର ଅଛି। ରିପୋର୍ଟ ମୁତାବିକ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମରିକାର ରାଷ୍ଟ୍ରପତି ଏହି ବଙ୍କରକୁ ନିର୍ମାଣ କରିଥିଲେ।