ଆମେରିକାର କ୍ଷତି କରୁଥିବା କେହି ବି ସୁରକ୍ଷିତ ରହିବେ ନାହିଁ: ଓବାମା

ଚିକାଗୋ: ଆଇଏସ୍‌ଆଇଏସ୍‌ (ଆତଙ୍କବାଦୀ ସଂଗଠନ) ଧ୍ୱଂସ କରାଯିବ। ଯେଉଁମାନେ ଆମେରିକାର କ୍ଷତି କରୁଛନ୍ତି ସେମାନେ ସୁରକ୍ଷିତ ରହିବେ ନାହିଁ। ନିଜ ବିଦାୟୀ ଅଭିଭାଷଣରେ ଏହା କହିଛନ୍ତି ଆମେରିକାର ରାଷ୍ଟ୍ରପତି ବାରାକ ଓବାମା।

ଚିକାଗୋରେ ଆଜି ରାଷ୍ଟ୍ରପତି ଭାବେ ତାଙ୍କର ଶେଷ ଉଦ୍‌ବୋଧନ ଦେଇ ଓବାମା କହିଥିଲେ,“ସାଧାରଣ ଲୋକଙ୍କ ସଂପୃକ୍ତି ହେଲେ ପରିବର୍ତ୍ତନ ସମ୍ଭବ ହୋଇଥାଏ। ୮ ବର୍ଷ ଭିତରେ ସମସ୍ତ ପ୍ରତିଶ୍ରୁତି ପୂରଣ କରିଛୁ। ସାଧାରଣ ଲୋକଙ୍କର ସହଯୋଗ ଓ ସମର୍ଥନ ମିଳିଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି।”

ସେ କହିଥିଲେ,“ଆମେକରିକୀୟଙ୍କ ଯୋଗୁଁ ଆମେରିକା ସମୃଦ୍ଧ ଓ ଶକ୍ତିଶାଳୀ ହୋଇଛି। ଅଳ୍ପଙ୍କୁ ନୁହେଁ ସମସ୍ତଙ୍କୁ ଏକାଠି ହୋଇ ଚାଲିବା ଆବଶ୍ୟକ। ବିଶ୍ୱରେ ଆମେରିକାର ପ୍ରଭାବ ସହ ରୁଷ୍ କିମ୍ବା ଚୀନ୍ ସମକକ୍ଷ ନୁହନ୍ତି।”

ଓବାମା କହିଥିଲେ,“ବର୍ଣ୍ଣବୈଷମ୍ୟ ଗଣତନ୍ତ୍ର ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ଆମେରିକୀୟ ମୁସ୍‌ଲିମଙ୍କ ପ୍ରତି ଭେଦଭାବକୁ ମୁଁ ଅଗ୍ରାହ୍ୟ କରେ।”

ଏହା ସହିତ ମାନବାଧିକାର ଓ ମହିଳାଙ୍କ ଅଧିକାର ସୁରକ୍ଷା କରିବାକୁ ସେ ଅପିଲ୍ କରିଛନ୍ତି।

ଓବାମାଙ୍କ ପରେ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ଡୋନାଲ୍ଡ ଟ୍ରମ୍ପ୍ ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବେ।