ସିରିଆ ସମସ୍ୟା: ମୁହାଁମୁହିଁ ସ୍ଥିତିରେ ବିଶ୍ୱର ଦୁଇ ଶକ୍ତି

ନୂଆଦିଲ୍ଲୀ: ସିରିଆରେ ରସାୟନିକ ଅସ୍ତ୍ର ଆକ୍ରମଣ ପରେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆଶଙ୍କା ସୃଷ୍ଟି ହୋଇଛି। ସିରିଆକୁ ନେଇ ଏବେ ଋଷ ଓ ପାଶ୍ଚାତ୍ୟ ଦେଶଗୁଡ଼ିକ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ବିଶେଷ କରି ବିଶ୍ୱର ଦୁଇ ଶକ୍ତି ଋଷ ଓ ଆମେରିକା ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ବିଦ୍ରୋହୀଙ୍କୁ ଦମନ କରିବାକୁ କିଛିଦିନ ତଳେ ସିରିଆର ଡୌମା ସହରରେ ରସାୟନିକ ଅସ୍ତ୍ର ପ୍ରୟୋଗ କରାଯାଇଥିଲା। ଏଥିରେ ଶତାଧିକ ଲୋକ ପ୍ରାଣ ହରାଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଥିଲେ। ଏହାପରେ ଋଷ ଓ ଆମେରିକା ମଧ୍ୟରେ ବିବାଦ ବଢ଼ିଛି।

ସିରିଆ ସରକାରଙ୍କ ଏଭଳି ପଦକ୍ଷେପକୁ ଇରାନ୍ ଓ ଋଷ ସମର୍ଥନ କରିଥିବା ବେଳେ କ୍ଷୁବ୍ଧ ହୋଇଛି ଆମେରିକା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ତିନି ଦେଶକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି କହି କଡ଼ା ଚେତାବନୀ ଦେଇଛନ୍ତି। ଏହାପରେ ଋଷ ମଧ୍ୟ ଆମେରିକାକୁ ଚେତାବନୀ ଦେଇଦେଇଛି। ଯୁଦ୍ଧ ପରିସ୍ଥିତି ସୃଷ୍ଟି କଲେ ପରିଣାମ ଭୟଙ୍କର ହେବ ବୋଲି ଋଷ ଧମକ ଦେଇଛି।

ସେପଟେ ବ୍ରିଟେନ, ସିରିଆ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ବ୍ରିଟେନ ସରକାର ନିଜ ସେନା ବାହିନୀକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି।