ଆରଏସ୍‌ଏସ୍‌ ଓ ବଜରଙ୍ଗ ଦଳକୁ ଧାର୍ମିକ ଆତଙ୍କବାଦୀ ସଙ୍ଗଠନ କହିଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଗୋଇନ୍ଦା ସଂସ୍ଥା ସେଣ୍ଟ୍ରାଲ ଇଣ୍ଟେଲିଜେନ୍‌ସ ଏଜେନ୍‌ସି (ସିଆଇଏ) ତା’ର ୱାର୍ଲଡ ଫ୍ୟାକ୍ଟବୁକରେ ବିଶ୍ୱହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳକୁ ଧାର୍ମିକ ଆତଙ୍କବାଦୀ ସଙ୍ଗଠନ ଦର୍ଶାଇଛି। ଆମେରିକାର ଇଣ୍ଟେଲିଜେନ୍ସି ବିଙ୍ଗ ଏହି ସଙ୍ଗଠନଗୁଡ଼ିକୁ ରାଜନୈତିକ ଚାପ ସୃଷ୍ଟିକାରୀ ସଙ୍ଗଠନର ଆଖ୍ୟା ଦେଇଛି। ଏମାନେ ସିଧାସଳଖ ରାଜନୀତୀରେ ଭାଗ ନ ନେଇ ଦଳ ଉପରେ ରାଜନୈତିକ ଚାପ ସୃଷ୍ଟି କରନ୍ତି ବୋଲି ସିଆଇଏ କହିଛି।

ଚଳିତ ଥର ସିଆଇଏ ଫ୍ୟାକ୍ଟବୁକ୍‌ରେ ଆରଏସ୍‌ଏସକୁ ରାଷ୍ଟ୍ରବାଦୀ ସଂଗଠନର ଆଖ୍ୟା ଦେଇଛି। ଜାମ୍ମୁ-କାଶ୍ମୀର ହୁରିୟତ କନ୍‌ଫରେନ୍ସକୁ ବିଚ୍ଛିନ୍ନତାବାଦୀ ସଙ୍ଗଠନ ଦର୍ଶାଇବା ସହିତ ମେହମୁଦ ମଦନିଙ୍କର ‘ଜମିୟତ ଉଲେମା ଏ ହୀନ୍ଦ’କୁ ଧାର୍ମିକ ସଙ୍ଗଠନର ଆଖ୍ୟା ଦେଇଛି। ଏଥିସହିତ ଆରଏସ୍‌ଏସ୍‌, ‘ଜମିୟତ ଉଲେମା ଏ ହୀନ୍ଦ ଓ ହୁରିୟତ କନ୍‌ଫରେନ୍ସକୁ ରାଜନୈତିକ ଚାପ  ସୃଷ୍ଟିକାରୀ ସଂଗଠନରେ ସାମିଲ୍‌ କରାଯାଇଛି।

ଫେକ୍ଟବୁକ୍‌ରେ ଦେଖାଯାଇଥିବା ଭାରତର ମାନଚିତ୍ରକୁ ନେଇ ସୃଷ୍ଟି ହୋଇଛି ନୂଆ ବିବାଦ। ଏଥିରେ ଭାରତର ମାନଚିତ୍ରକୁ ଭୁଲ୍‌ ଭାବେ ଦର୍ଶାଯାଇଥିବା କୁହାଯାଇଛି। ସେହିଭଳି ସିଆଇଏର ଏଭଳି ରିପୋର୍ଟକୁ ବିରୋଧ କରିଛି ବିଶ୍ୱହୀନ୍ଦୁ ପରିଷଦ ଓ ବଜରଙ୍ଗ ଦଳ। ଏଥିରେ ହସ୍ତକ୍ଷେପ କରିବାକୁ ଉଭୟ ସଂଗଠନ ଭାରତ ସରକାରଙ୍କୁ କହିଛନ୍ତି।

ପ୍ରକାଶ ଥାଉକି ଆମେରିକାର ଗୋଇନ୍ଦ ସଂସ୍ଥା ପ୍ରତିବର୍ଷ ଫେକ୍ଟବୁକ ପ୍ରକାଶ କରିଥାଏ।  ଏଥିରେ ଇତିହାସ, ସରକାର, ଆର୍ଥିକ, ଉର୍ଜା, ଭୌଗଳିକ, ସମ୍ବାଦ, ଆତଙ୍କବାଦୀ ଓ ବିଭିନ୍ନ ଦେଶର ଘଟଣାକୁ ନେଇ ସମସ୍ତ ତଥ୍ୟ ରହିଥାଏ। ସିଆଇଏ ୧୯୬୨ ମସିହାରୁ ଏହି ଫେକ୍ଟବୁକ୍‌ ପ୍ରକାଶ କରିଆସୁଥିଲେ ହେଁ ଏହାର ତଥ୍ୟକୁ ଗୋପନ ରଖାଯାଉଥିଲା। ୧୯୭୫ ମସିହାରୁ ଏହାକୁ ସାର୍ବଜନୀକ କରାଯାଉଛି।