ଆମେରିକାରେ ହେଟ୍‌ କ୍ରାଇମର ବାତାବରଣ, ପୁଣି ଜଣେ ଭାରତୀୟଙ୍କୁ ଗୁଳିମାଡ଼

ୱାଶିଂଟନ୍‌: ଆମେରିକାରେ ଜାରି ରହିଛି ହେଟ୍‌ କ୍ରାଇମ। ଶିକାର ହେଉଛନ୍ତି ପ୍ରବାସୀ ଭାରତୀୟ। ଗତକାଲି ଦକ୍ଷିଣ କାରୋଲିନାରେ ଗୁଜରାଟର ହର୍ଣ୍ଣିସ ପଟେଲ ନାମକ ଜଣେ ଭାରତୀୟ ବଂଶୋଦ୍ଭବ ବ୍ୟବସାୟୀଙ୍କୁ ଗୁଳିକରି ହତ୍ୟା କରାଯିବା ପରେ ଆଉ ଏକ ଘଟଣା ନଜରକୁ ଆସିଛି। ଗତକାଲି ୱାଶିଂଟନ୍‌ କେଣ୍ଟ୍‌ ସହରରେ ଜଣେ ଶିଖ୍‌ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ଉପରକୁ ଗୁଳିମାଡ଼ ହୋଇଛି। ତାଙ୍କ ହାତରେ ଗୁଳି ବାଜିଛି।

ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତ ଜଣକ ମୁଖା ପିନ୍ଧିଥିଲା ଓ ତାଙ୍କୁ ଗୁଳି କରିବା ସହ ନିଜ ଦେଶକୁ ଫେରିଯାଅ ବୋଲି ଚିତ୍କାର କରିଥିଲା। କେଣ୍ଟ ପୋଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ପୂର୍ବରୁ କାନସାସରେ ଇଞ୍ଜିନିୟର ଶ୍ରୀନିବାସଙ୍କ ହତ୍ୟା ଘଟଣା ମନରୁ ନ ଲିଭୁଣୁ ଏଭଳି ଦୁଇ ଦୁଇଟି ଘଟଣା ଆମେରିକାରେ ବିଦ୍ୱେଷାଜନିତ ହିଂସାକାଣ୍ଡ ବୋଲି କୁହାଯାଉଛି।