ମହଙ୍ଗା ପଡ଼ିଲା ଅସହିଷ୍ଣୁତା ବିବାଦ: ‘ଅତୁଲ୍ୟ ଭାରତ’ରୁ ବାଦ୍ ପଡିଲେ ଅମୀର

ନୂଆଦିଲ୍ଲୀ: ଦେଶରେ ଅସହିଷ୍ଣୁତା ପ୍ରସଙ୍ଗରେ ଛନ୍ଦି ହୋଇପଡିଥିବା ଅମୀର ଖାନଙ୍କୁ ବୁଧବାର ପୁଣି ଏକ ଶକ୍ତ ଧକ୍କା ଲାଗିଛି । ଅସହିଷ୍ଣୁତା ନେଇ ଦେଇଥିବା ବୟାନ ଲାଗି ଆଜି ତାଙ୍କୁ କେନ୍ଦ୍ର ସରକାରଙ୍କର ‘ଅତୁଲ୍ୟ ଭାରତ’ କ୍ୟାମ୍ପେନରୁ ବିଦା ହେବାକୁ ପଡିଛି।

କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା କହିଛନ୍ତି ଯେ ‘ଅତିଥି ଦେବୋ ଭବଃ’ ନେଇ ମ୍ୟାକନ ୱାର୍ଲ୍ଡ ୱାଇଡ ସଂସ୍ଥା ସହ ସରକାରଙ୍କ ଚୁକ୍ତି ଅବଧି ଶେଷ ହୋଇଛି। ଏଥିରେ ଅମୀର ନିଯୁକ୍ତି ପାଇଥିଲେ। ତେଣୁ ଅମୀର ଏବେ ‘ଅତୁଲ୍ୟ ଭାରତ’ରୁ ବାଦ ପଡିଛନ୍ତି। ଏହାସହ ଅମୀର କେନ୍ଦ୍ର ପର୍ଯ୍ୟଟନ ବିଭାଗର ବ୍ରାଣ୍ଡ ଆମ୍ବାସଡରରୁ ମଧ୍ୟ ବାଦ ପଡିଛନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ୟୁପିଏ ସରକାର ବେଳେ ‘ଅତୁଲ୍ୟ ଭାରତ’ କାର୍ଯ୍ୟକ୍ରମରେ ‘ଅତିଥି ଦେବୋ ଭବଃ‘ କ୍ୟାମ୍ପେନ ଆରମ୍ଭ ହୋଇଥିଲା।