ଅମିତ ଶାହ ପୁଣି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ

amitନୂଆଦିଲ୍ଲୀ: ଅମିତ ଶାହ ପୁଣି ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ। ତାଙ୍କୁ ଦ୍ୱିତୀୟ ଥର ପାଇଁ ଆଜି ଦଳର ଅଧ୍ୟକ୍ଷ ପଦବୀରେ ନିଯୁକ୍ତି ଦିଆଯାଇଛି। ସେ ନିର୍ଦ୍ୱନ୍ଦ୍ୱରେ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ତାଙ୍କୁ ଦିଲ୍ଲୀରେ ଦଳୀୟ ନେତା ଓ କର୍ମୀମାନେ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏଥର ଅମିତ ଶାହ ପୂରା ତିନି ବର୍ଷ ପାଇଁ ଦଳର ରାଷ୍ଟ୍ରୀୟ ସଭାପତି ରହିବେ। ୨୦୧୪ ଜୁଲାଇ ମାସରେ ପ୍ରଥମ ଥର ପାଇଁ ଅମିତ ଶାହ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହୋଇଥିଲେ। ରାଜନାଥ ସିଂହ ନିର୍ବାଚନ ଜିତି କେନ୍ଦ୍ର ଗୃହମନ୍ତ୍ରୀ ହେବା ପରେ ଅମିତଙ୍କୁ ଏହି ପଦକୁ ନିର୍ବାଚିତ କରାଯାଇଥିଲା। ଏଯାବତ ସେ ରାଜନାଥଙ୍କ କାର୍ଯ୍ୟକାଳ ନିର୍ବାହ କରି ଆସୁଥିଲେ। ଗତକାଲି ଏହି କାର୍ଯ୍ୟକାଳ ଶେଷ ହୋଇଥିଲା।

ଅମିତ ଶାହଙ୍କୁ ଦ୍ୱିତୀୟ ଥର ପାଇଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ରାଜନାଥ ସିଂହ, ଅରୁଣ ଜେଟଲୀ, ସୁଷମା ସ୍ୱରାଜଳ ନୀତୀନ ଗଡ଼କରୀ, ଜେ.ପି ନଡ୍ଡା ଓ ସମସ୍ତ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରସ୍ତାବକ ଥିଲେ। ତେବେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ ଓ ଶାନ୍ତା କୁମାର ପ୍ରମୁଖ ଦଳୀୟ ମୁଖ୍ୟ କାର୍ଯ୍ୟାଳୟକୁ ଆସି ନ ଥିଲେ। ଅମିତଙ୍କ ନାମାଙ୍କନ ପତ୍ର ଦାଖଲ ପାଇଁ ୩୫ ଜଣ ସାଂସଦ ପ୍ରସ୍ତାବକ ବନିବାର ଆବଶ୍ୟକତା ଥିଲା।

ଅମିତଙ୍କ ପ୍ରଥମ ଦଫା ସଭାପତିତ୍ୱ ସମୟରେ ଦଳ ମହାରାଷ୍ଟ୍ର, ଝାଡ଼ଖଣ୍ଡ ଓ ହରିଆଣା ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲା। ସେହିପରି ଜମ୍ମୁ ଓ କାଶ୍ମୀରେ ମଧ୍ୟ ଦଳ ଭଲ ଫଳାଫଳ କରି ଏବେ ମେଣ୍ଟରେ ରହି ଶାସନ କରୁଛି। ତେବେ ଦିଲ୍ଲୀ ଓ ବିହାର ବିଧାନସଭା ନିର୍ବାଚନରେ ଦଳ ହାରି ଯାଇଥିଲା। ଏବେ ଅମିତ ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳକୁ ମଜଭୁତ କରିବା ପାଇଁ କାର୍ଯ୍ୟ କରିବେ ବୋଲି କୁହାଯାଉଛି।