‘ମୋଦିଙ୍କ ଭୟରେ ନିର୍ବାଚନ ଲଢ଼ୁଛନ୍ତି ସାପ, ନେଉଳ ଓ କୁକୁର’: କାହାକୁ ଏମିତି କହିଲେ ଶାହ ?

ମୁମ୍ବାଇ: ଖୁବ୍ ଧୁମଧାମ୍‌ରେ ବିଜେପି ଆଜି ଏହାର ୩୯ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଦଳର ଅଧ୍ୟକ୍ଷ ଅମିତ ଶାହ ମୁମ୍ବାଇର ଏକ ଶୋଭାଯାତ୍ରାକୁ ମମ୍ବୋଧନ କରି ଦଳର ଗୁଣଗାନ କରିବା ସହିତ ଏମିତି ଏକ ବୟାନ ଦେଇଛନ୍ତି, ଯାହା ଏବେ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ହୋଇଛି।

ଶାହ କହିଛନ୍ତି ଯେ, ଯେତେବେଳେ ବନ୍ୟା ଆସେ ସେତେବେଳେ ଜଙ୍ଗଲର ସବୁ ଗଛ ଉପୁଡ଼ି ପଡ଼ନ୍ତି। କିନ୍ତୁ ବରଗଛ ସେମିତି ଦୃଢ଼ ହୋଇ ରହିଥାଏ। ବନ୍ୟା ଆସିଲେ ସାପ, କୁକୁର ଓ ବିଲେଇ ନିଜ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ମିଳିମିଶି ଗଛ ଉପରକୁ ଚଢ଼ି ଯାଆନ୍ତି। ସେହିପରି ମୋଦିଙ୍କ ନାମରେ ଯେଉଁ ବନ୍ୟା ଆସିଛି, ସେଥିରେ ଡରିଯାଇ ସାପ, ନେଉଳ ଓ କୁକୁର ସବୁ ମିଳିମିଶି ନିର୍ବାଚନ ଲଢ଼ୁଛନ୍ତି ବୋଲି ଶାହ କହିଛନ୍ତି। ତାଙ୍କର ଏପରି ମନ୍ତବ୍ୟ ପରେ, ଶାହ କାହାକୁ ଟାର୍ଗେଟ୍‌ କରି ଏପରି କହିଛନ୍ତି ସେନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ନିକଟରେ ଉତ୍ତର ପ୍ରଦେଶରେ ଖାଲିଥିବା ଲୋକସଭା ଓ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ ବିଜେପିକୁ ହରାଇବା ପାଇଁ ରାଜ୍ୟର ଦୁଇ ପ୍ରମୁଖ ପ୍ରତିଦ୍ୱନ୍ଦ୍ୱୀ ଦଳ ବିଏସ୍‌ପି ଓ ଏସ୍‌ପି ମିଶିଯାଇଥିଲେ। ଉଭୟ ଦଳ ମେଣ୍ଟ ହୋଇ ବିଜେପିକୁ ପରାସ୍ତ ମଧ୍ୟ କରିଥିଲେ। ସେହିପରି ବିଜେପି ବିରୋଧରେ ସୋନିଆଙ୍କ ଡିନର ପାର୍ଟିର ମଧ୍ୟ ବେଶ୍‌ ଚର୍ଚ୍ଚା ହେଉଥିଲ। ବିଜେପିକୁ ଗାଦି ଚ୍ୟୁତ କରିବା ପାଇଁ ତୃଣ ମୂଳ କଂଗ୍ରେସ ମଧ୍ୟ କଂଗ୍ରେସର ସମର୍ଥନ କରିଥିଲା। ଅମିତ ଶାହ ଏମାନଙ୍କୁ ଟାର୍ଗେଟ୍‌ କରି ଏପରି ମନ୍ତବ୍ୟ ଦେଇଥାଇ ପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।