କାଦର ଖାନ୍‌ଙ୍କ ପାଇଁ ପ୍ରାର୍ଥନା କରିବାକୁ ଅମିତାଭଙ୍କ ନିବେଦନ

ନୂଆଦିଲ୍ଲୀ: ବଲିଉଡ୍‌ର ଭେଟରାନ୍‌ ଅଭିନେତା ଓ ସଂଳାପ ଲେଖକ କାଦର ଖାନ୍‌ ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ କ୍ୟାନାଡା ସ୍ଥିତ ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ବି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି। ଏହି ଖବର ପ୍ରଚାର ହେବା ପରେ ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନ ଟ୍ୱିଟ୍‌ ଯୋଗେ ଦେଶବାସୀଙ୍କୁ କାଦର ଖାନ୍‌ଙ୍କ ପାଇଁ ପ୍ରାର୍ଥନା କରିବାକୁ ନିବେଦନ କରିଛନ୍ତି।

ବିଗ୍‌ ବି ଟ୍ୱିଟର୍‌ରେ ଲେଖିଛନ୍ତି, “ କାଦର ଖାନ୍‌ ହେଉଛନ୍ତି ଜଣେ ଦକ୍ଷ ଅଭିନେତା ଏବଂ ଲେଖକ। କିନ୍ତୁ ସେ ଏବେ ହସ୍ପିଟାଲ ବେଡ୍‌ରେ ପଡ଼ି ରହିଛନ୍ତି। ତାଙ୍କ ପାଇଁ ପ୍ରାର୍ଥନା ଏବଂ ଦୁଆ କରିବା ଦରକାର। ସେ କେମିତି ସୁସ୍ଥ ହୋଇ ପୁଣି ଫେରିବେ, ସେଥିପାଇଁ ଆମକୁ ଭଗବାନଙ୍କୁ ଡାକିବାକୁ ପଡ଼ିବ।”

ମିଳିଥିବା ସୂଚନା ଅନୁଯାୟୀ, କାଦେର ଖାନ୍‌ଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ନିୟମିତ ଭେଣ୍ଟିଲେଟରରୁ BiPAP ଭେଣ୍ଟିଲେଟରଙ୍କୁ ସ୍ଥାନାନ୍ତର କରାଯାଇଛି। ହସ୍ପିଟାଲ୍‌ରେ କାଦର ଖାନ୍‌ଙ୍କ ପୁଅ ସର୍ଫରାଜ ଓ ବୋହୂ ରହିଛନ୍ତି।

୨୦୧୬ ଏପ୍ରିଲ ମାସରେ କାଦେର ଖାନ୍‌ଙ୍କ ଦେହାନ୍ତ ହୋଇଥିବା ଖବର ପ୍ରକାଶ ପାଇଥିଲା। କିନ୍ତୁ ଏହା କେବଳ ଏକ ଗୁଜବ ଥିଲା ବୋଲି ପରେ ପ୍ରମାଣିତ ହୋଇଥିଲା। କାଦର ଖାନ୍‌ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି।