ବିଗ୍‌ ବି’ ଙ୍କ ବାହାଘରକୁ ପୂରିଲା ୪୫ ବର୍ଷ

ନୂଆଦିଲ୍ଲୀ: ମହାନାୟକ ଅମିତାଭ ବଚ୍ଚନ ଓ ଅଭିନେତ୍ରୀ ଜୟା ବଚ୍ଚନଙ୍କ ବିବାହକୁ ପୂରିଛି ୪୫ ବର୍ଷ।  ୩ ଜୁନ୍ ୧୯୭୩  ମସିହା ଆଜିର ଦିନରେ ଦୁହେଁ ଦୁହିଁଙ୍କ ହାତ ଧରିଥିଲେ । ସାତ ଜନ୍ମକୁ ସାଥୀ ହୋଇ ଚାଲିବା ପାଇଁ ଅଗ୍ନିକୁ ସାକ୍ଷୀ ରଖି ନେଇଥିଲେ ଶପଥ। ଇତି ମଧ୍ୟରେ ଅନେକ ସମୟ ବିତିଛି। ହେଲେ ଭଲ ପାଇବା ସେମିତି ଅଛି। ରିଲ୍‌ରୁ ରିଅଲ୍‌ ଲାଇଫ୍‌ ପର୍ଯ୍ୟନ୍ତ ସବୁଥିରେ ଜମିଛି ଦୁହିଁଙ୍କ ଯୋଡି।

ରବିବାର ୪୫ ତମ ବିବାହ ବାର୍ଷିକୀ ଅବସରରେ ବିଗ୍‌ ବି ଅମିତାଭ ତାଙ୍କ ଟ୍ୱିଟରରେ ପତ୍ନୀ ଜୟାଙ୍କ  ସହ ଏକ ବ୍ଲାକ ଏଣ୍ଡ ହ୍ୱାଇଟ୍ ଫୋଟକୁ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟରେ ଅମିତାଭ ଜୟାଙ୍କୁ ଏକ ଗୋଲାପ ଫୁଲ ଦେଉଥିବା ଦେଖିବାକୁ ମିଳୁଛି।

କେମିତି ଜମିଥିଲା ପ୍ରେମ ଆଉ ପଡିଥିଲା ହାତଗଣ୍ଠି

‘ଗୁଡ୍ଡି’ ଚଳଚ୍ଚିତ୍ର ସେଟ୍‌ରେ ଜୟା ଏବଂ ଅମିତାଭଙ୍କୁ  ହୃଷିକେଶ ମୁଖାର୍ଜୀ ପ୍ରଥମ ଥର ପାଇଁ ପରିଚୟ କରାଇଥିଲେ। ଏହାପରେ ୧୯୭୩ରେ ଅମତାଭ ଏବଂ ଜୟା ନଜର ଆସିଥିଲେ ଚଳଚ୍ଚିତ୍ର ‘ଜଞ୍ଜିର୍‌’ରେ। ଏହି ଫିଲ୍ମ ସୁଟ୍‌ ହେବା ସମୟରେ ଦୁହେଁ ଦୁହିଁଙ୍କ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ ।

ହେଲେ ବାହାଘର ପୂର୍ବରୁ ଦୁହେଁ ବିଦେଶ ଟ୍ରିପ୍‌ରେ ଯିବାକୁ ଆଶା କରିଥିଲେ ବି ପିତା ହରିବଂଶ ରାୟ ବଚ୍ଚନଙ୍କ ନାଲିଆଖି ଦୁହିଁଙ୍କ ବିଦେଶ ଯାତ୍ରାରେ କଣ୍ଟା ହୋଇଥିଲା। ବିବାହ ନ କରିବା ପର୍ଯ୍ୟନ୍ତ ଏପରି ଯାତ୍ରାକୁ ପାରିବାରିକ ଅନୁମତି ମିଳିବନି ଜାଣି ଅତି ତରବରିଆ ଭାବେ ଅମିତାଭ ୩ ଜୁନ୍ ୧୯୭୩ରେ ଜୟାଙ୍କ ହାତ ଧରିଥିଲେ।