AN-୩୨ ବିମାନରେ ଥିବା ସମସ୍ତ ୧୩ ଜଣ ମୃତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ AN-୩୨ରେ ଥିବା ୮ କ୍ରିଉ ସଦସ୍ୟ ଏବଂ ୫ ବାୟୁସେନା ଅଧିକାରୀଙ୍କର ମୃତ୍ୟୁ ହୋଇଛି। ଆଜି ଭାରତୀୟ ବାୟୁସେନା ଟ୍ୱିଟ୍ କରି ଏହି ସୂଚନା ଦେଇଛି। ବାୟୁସେନା ଉଲ୍ଲେଖ କରିଛି ଯେ ବିମାନଟି ଦୁର୍ଘଟଣା ହୋଇ ପଡ଼ିଥିବା ସ୍ଥାନରେ ଆଜି ୮ ଜଣିଆ ଉଦ୍ଧାରକାରୀ ଟିମ୍ ପହଞ୍ଚିଥିଲେ। ହେଲେ ଘଟଣାସ୍ଥଳରେ କେହି ବଞ୍ଚିଥିବା ଦେଖିବାକୁ ମିଳିନାହିଁ।

ମୃତ ବାୟୁସେନା ଅଧିକାରୀ ହେଲେ ଜି.ଏମ୍. ଚାର୍ଲସ, ଏଚ୍, ବିନୋଦ, ଆର.ଥପ୍ପା, ଏ.ତନଓ୍ୱର, ସୁନୀତ ମହାନ୍ତି (ଓଡ଼ିଆ ବାୟୁସେନା ଅଧିକାରୀ), ଏମକେ ଗାର୍ଗ, କେକେ ମିଶ୍ରା, ଅନୁପ କୁମାର, ସେରିନ୍, ଏସକେ ସିଙ୍ଘ୍, ପଙ୍କଜ, ପୁତାଲି ଏବଂ ରାଜେଶ କୁମାର। ଓଡ଼ିଆ ପାଇଲଟ୍ ସୁନୀତ ମହାନ୍ତିଙ୍କ ଘର ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗର ଅଞ୍ଚଳର ବଳିଆପଲ୍ଲୀରେ।

ଜୁନ ୩ ତାରିଖ ଦିନ ରୁଷ ନିର୍ମିତ ଏଏନ୍‌- ୩୨ ଆନ୍ତୋନୋଭ ବିମାନ ୧୩ ଜଣଙ୍କୁ ନେଇ ଆସାମରୁ ଅରୁଣାଚଳ ପ୍ରଦେଶର ମେଚୁକା ମିଲିଟାରୀ ଏୟାରଷ୍ଟ୍ରିପ୍‌ ଅଭିମୁଖେ ଉଡ଼ାଣ ଭରିଥିଲା। ତେବେ ଅପରାହ୍ନ ୧ଟାରେ ବିମାନଟି ନିଖୋଜ ହୋଇଯାଇଥିଲା।

ଦୁଇଦିନ ତଳେ ଅରୁଣାଚଳ ପ୍ରଦେଶର ସିଅଙ୍ଗ ଜିଲ୍ଲାର ପେୟୁମ ସାର୍କିଲରେ ଏମଆଇ-୧୭ ହେଲିକପ୍ଟର ଆକାଶ ମାର୍ଗରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ବିମାନର ଧ୍ବଂସାବଶେଷ ଠାବ କରିଥିଲା।

ବିମାନଟି ନିଖୋଜ ହେବା ପରେ ବାୟୁସେନା ସର୍ଚ୍ଚ ଅପରେସନ କରିଥିଲା। ଇଣ୍ଡୋ-ତିବ୍ବତ ସୀମାନ୍ତରେ ଥିବା ଯବାନମାନଙ୍କ ସହ ସୁଖୋଇ-୩୦, ସି-୧୩୦, ଅନ୍ୟ ଏକ ଏଏନ୍‌-୩୨ ଓ ୨ଟି ଏମଆଇ-୧୭ ହେଲିକପ୍ଟର, ଇସ୍ରୋ ସାଟେଲାଇଟ୍ ସର୍ଚ୍ଚ ଅପରେସନରେ ନିୟୋଜିତ ହୋଇଥିଲେ।