ମହଙ୍ଗା ପଡ଼ିଲା ରାସ୍ତାକଡ଼ରେ ପରିସ୍ରା ନ କରିବାକୁ ଉପଦେଶ ଦେବା, ଚାଲିଗଲା ଜୀବନ…. ପଢ଼ନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ଭାରତକୁ ସଫ।ସୁତରା ରଖିବା ପାଇଁ ସ୍ୱଚ୍ଛ ଭାରତ ଅଭିଯାନ ଆରମ୍ଭ କରିଛନ୍ତି ସରକାର। କିନ୍ତୁ ଏହି ଅଭିଯାନକୁ ନେଇ ଶିକ୍ଷିତ ସମାଜର ମାନସିକତାରେ ପରିବର୍ତ୍ତନ ହେଉନାହିଁ। ସହରକୁ ସଫ। ରଖିବା ତ ଦୂରର କଥା ଏଥିପାଇଁ ସ୍ୱର ଉତ୍ତୋଳନ କରୁଥିବା ଲୋକକୁ ମାରିବାକୁ ମଧ୍ୟ ପଛାଉ ନାହାନ୍ତି ଅନେକ। ଦିଲ୍ଲୀର ରାସ୍ତାକଡ଼ରେ ପରିସ୍ରା କରୁଥିବା କିଛି ଯୁବକଙ୍କୁ ବିରୋଧ କରି ପ୍ରାଣ ହରାଇଛନ୍ତି ଜଣେ ଇ-ରିକ୍ସା ଚାଳକ। ଦିଲ୍ଲୀର ଜିଟିବି ରେଳ ଷ୍ଟେସନ ନିକଟରେ ଘଟିଛି ଏହି ଘଟଣା।

ଶନିବାରର ସନ୍ଧ୍ୟା ସମୟ। ଦିଲ୍ଲୀର ଜିଟିବି ରେଳ ଷ୍ଟେସନ ନିକଟ ରାସ୍ତାକଡରେ ୨ ରୁ ୩ ଜଣ ଛାତ୍ର ପରିସ୍ରା କରୁଥିବାର ଦେଖିଥିଲେ ୩୨ ବର୍ଷୀୟ ଇ-ଅଟୋ ଚାଳକ ରବୀନ୍ଦ୍ର। ରାସ୍ତାକଡରେ ପରିସ୍ରା କରିବା ଦ୍ୱାରା ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେବା ସହ ଦୁର୍ଗନ୍ଧ ହୋଇଥାଏ। ତେଣୁ ସେ ଛାତ୍ରଙ୍କୁ ଏସବୁ କୁଅଭ୍ୟାସରୁ ଦୂରେଇ ରହିବାକୁ ବୁଝାଇଥିଲେ। ସାମାନ୍ୟ ଅଟୋଚାଳକ ସେମାନଙ୍କୁ ଉପଦେଶ ଦେବା ଭଲ ଲାଗି ନ ଥିଲା ଏହି ଶିକ୍ଷିତ ଛାତ୍ରଙ୍କୁ। ଏଥିରେ ‌ଉତ୍‌କ୍ଷିପ୍ତ ହୋଇ ସେମାନେ ଲୁହା ଛଡ଼ ଓ ପଥରରେ ଆକ୍ରମଣ କରିଥିଲେ ରବୀନ୍ଦ୍ରଙ୍କୁ। ମୁମୂର୍ଷୁ ଅବସ୍ଥାରେ ରବୀନ୍ଦ୍ରଙ୍କୁ ହସ୍ପିଟାଲ ନିଆ ଯାଇଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ।

କେନ୍ଦ୍ର ମନ୍ତ୍ରୀ ଭେଙ୍କେୟା ନାଇଡୁ ଏ ଘଟଣାରେ ଦୁଃଖପ୍ରକାଶ କରିବା ସହିତ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦିଲ୍ଲୀ ପୋଲିସ୍ କମିଶନରଙ୍କୁ କହିଛନ୍ତି। ଭେଙ୍କେୟା ଟ୍ୱିଟ୍ କରି ଏକଥା କହିଛନ୍ତି। ସେ ତାଙ୍କ ଟ୍ୱିଟ୍‌ରେ ଲେଖିଛନ୍ତି- ଦୁଃଖର କଥା ଯେ ଜଣେ ଇ ରିକ୍ସା ଚାଳକଙ୍କୁ ଦିଲ୍ଲୀରେ ସର୍ବସାଧାରଣରେ ଦୁଇ ଜଣ ଯୁବକ ମାରି ଦେଲେ। ସେ ସ୍ୱଚ୍ଛ ଭାରତ ଅଭିଯାନକୁ ପ୍ରୋତ୍ସାହିତ କରୁଥିଲେ।

ରିପୋର୍ଟ ଓ ଫଟୋ- ହିନ୍ଦୁସ୍ତାନ ଟାଇମ୍ସ