ଆଉ ଜଣେ ମାଲାଲା: ବାଲ୍ୟ ବିବାହକୁ ବିରୋଧ କରି ଚକ୍ରବ୍ୟୁହରେ ‘ବିୟୁଟି’

ମାଲଦା(ପଶ୍ଚିମବଙ୍ଗ): ବିୟୁଟି ଖାତୁନ। ବୟସ ୧୩ ବର୍ଷ। ଘର ତାଙ୍କର ମାଲଦାର ଅମ୍ରିତ ଅଞ୍ଚଳରେ।  ଗତ ବର୍ଷ ସେ ଏକ ବିବାହ ଉତ୍ସବକୁ ଯାଇଥିଲେ। ହେଲେ ଉତ୍ସବକୁ ଯାଇ ଖୁସି ହୋଇପାରି ନ ଥିଲେ। କାରଣ ବେଦିରେ ବସିଥିବା କନିଆକୁ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଠାରେ ବାଲ୍ୟ ବିବାହ ହେଉଥିବା ତାଙ୍କ ନଜରକୁ ଆସିଥିଲା। ଉତ୍ସବସ୍ଥଳରେ ବାହାଘରକୁ ବିରୋଧ କରିବା ସହ କଥାକୁ  ପ୍ରଶାସନ କାନକୁ ନେଇଥିଲେ। ଏହି ଭଲ କାମ ପାଇଁ ପ୍ରଶାସନ ତାଙ୍କୁ ବହୁ ପ୍ରଂଶସା କରିଥିଲା।

ଆଉ ବିୟୁଟି ଖାତୁନକୁ ଆସିଥିଲା ବ୍ରାଣ୍ଡ ଆମ୍ବାସଡର ଅଫର। ବାଲ୍ୟ ବିବାହ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ମାଲଦାର ସ୍ଥାନୀୟ ପ୍ରଶାସନ ତାଙ୍କୁ ବ୍ରାଣ୍ଡ ଆମ୍ବାସଡରଭାବେ ବାଛିଥିଲା। ଏହାରି ଭିତରେ ସେ ବିଭିନ୍ନ ସ୍ଥାନରେ ବୁଲି ବୁଲି ଅନେକ ବାଲ୍ୟବିବାହକୁ ରୋକିପାରିଛନ୍ତି।  ହେଲେ ଏହି ବାଲ୍ୟ ବିବାହରେ ବାଧା ସୃଷ୍ଟି କରିବାରୁ ସେ ଏବେ ଲୋକଙ୍କ ଆକ୍ରୋଶରେ ଶିକାର ହୋଇଛନ୍ତି। ସ୍ଥିତି ଏଭଳି ହୋଇଛି ଯେ, ସେ ଏବେ ଘରୁ ଗୋଡ଼ ବାହାର କରିପାରୁ ନାହାନ୍ତି। ସ୍କୁଲ ଯିବା ବନ୍ଦ ହୋଇଯାଇଛି।

ଏହି ପ୍ରଥାକୁ ବିରୋଧ କରିବା ସହ  ଅନେକ ଘଟଣାକୁ ସେ ପୋଲିସର ଦୃଷ୍ଟି ଆକର୍ଷଣ କରିଛନ୍ତି।  ପୋଲିସ ମଧ୍ୟ ଅନେକ ଅଭିଭାବକଙ୍କୁ ଗିରଫ କରିଛି।  ବିୟୁଟି ଖାତୁନଙ୍କ ପ୍ରଂଶସନୀୟ କାମ ପାଇଁ ଗତ  ଫେବୃୟାରୀ ୨୪ରେ ବିଶ୍ୱ ମହିଳା ଦିବସରେ ତାଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ମାନିତ କରିଥିଲେ। ଶିଶୁ ଶିକ୍ଷା ପାଇଁ ଲଢେଇ କରି ନୋବେଲ ଶାନ୍ତି ପୁରସ୍କାରପାଇ ଥିବା ପାକିସ୍ତାନର ମାଲାଲା ୟୁସୁଫଜାଇ ବିୟୁଟିଙ୍କ ଆଦର୍ଶ। ଝିଅମାନଙ୍କ ସୁରକ୍ଷା ପାଇଁ ଲଢେଇ କରୁଥିବା ବିୟୁଟିଙ୍କ ନିଜ ଜୀବନ ଏବେ ବିପଦଘେରରେ ।

ବାଟଘାଟରେ ବାରମ୍ବାର ଆକ୍ରମଣରେ ଶିକାର  ହେବା ପରେ ସେ ସ୍କୁଲ ଯିବା ବନ୍ଦ କରିଦେଇଛନ୍ତି। ତେବେ ମାଲଦାର ଶିଶୁ ସୁରକ୍ଷା ବିଭାଗ ଏହି ଘଟଣା ଜାଣିବା ପରେ ପୋଲିସ ନିକଟରେ ଅଭିଯୋଗ କରିଛି। ବିୟୁଟି ଖାତୁନଙ୍କୁ ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ଦାବି କରାଯାଇଛି।

Courtesy-Times of india