ନିର୍ବାଚନ ପୂର୍ବରୁ ପୁଣି ପୁଲ୍‌ୱାମା ଭଳି ଆକ୍ରମଣ ହୋଇପାରେ: ରାଜ୍‌ ଠାକ୍‌ରେ

ମୁମ୍ବାଇ: ଜମ୍ମୁ-କଶ୍ମୀରର ପୁଲ୍‌ୱାମାରେ ଆତଙ୍କବାଦୀଙ୍କ ଆତ୍ମଘାତୀ ଆକ୍ରମଣରେ ୪୦ଜଣ ସିଆରପିଏଫ୍‌ ଯବାନ ସହିଦ ହେବା ଘଟଣା ମନରୁ ନଲିଭୁଣୁ ପୁଣି ଏଭଳି ଏକ ଆକ୍ରମଣ ହୋଇପାରେ ବୋଲି କହିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେ। ଲୋକସଭା ନିର୍ବାଚନ ପାଖାପାଖି ଏଭଳି ଆକ୍ରମଣ ହେବ ବୋଲି ସେ କହିଛନ୍ତି।

ଗତକାଲି ଏମ୍‌ଏନ୍‌ଏସ୍‌ ଗଠନର ୧୩ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏକଥା କହିଥିଲେ।

ରାଜ୍ ଠାକ୍‌ରେ କହିଥିଲେ,“ମୋ କଥାକୁ ଭଲ ଭାବେ ଧ୍ୟାନ ଦିଅନ୍ତୁ- ଆସନ୍ତା ଦୁଇ ମାସ ଭିତରେ ପୁଲୱାମା ଭଳି ଆକ୍ରମଣ ସଂଘଟିତ ହେବ। ଲୋକସଭା ନିର୍ବାଚନ ବେଳେ ଏହି ଆକ୍ରମଣ ହେବ। ସମସ୍ତ ସମସ୍ୟାରୁ ଧ୍ୟାନ ହଟାଇ କେବଳ ଦେଶପ୍ରେମକୁ ଦେଖାଇବା ପାଇଁ ଏଭଳି ଆକ୍ରମଣ ହେବ।”

ଏଭଳି ଆକ୍ରମଣ କାହିଁକି ଆଉ ଥରେ ହେବ, ତା’ର କାରଣ ବି ସେ କହିଛନ୍ତି। ରାଜ୍ କହିଛନ୍ତି, ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କ ନୀତିଗୁଡ଼ିକରେ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ରାମ ମନ୍ଦିର ପ୍ରସଙ୍ଗରେ ବି ସେମାନେ ବିଫଳ ହୋଇଛନ୍ତି।