ଏଭରେଷ୍ଟ ଚଢ଼ିବାରେ ଭାରତୀୟ ମହିଳାଙ୍କ ବିରଳ ରେକର୍ଡ; ଜାଣନ୍ତୁ କିଏ ଏହି ଦୁଇଟି ସନ୍ତାନର ଜନନୀ

ଗୌହାଟୀ: ଅରୁଣାଚଳ ପ୍ରଦେଶର ବୋମ୍‌ଡିଲାର ବାସିନ୍ଦା ଅଂଶୁ ଜାମସେନପା ଗତକାଲି ଏକ ବିରଳ ରେକର୍ଡ ତିଆରି କରିଛନ୍ତି। ମାତ୍ର ୫ ଦିନ ମଧ୍ୟରେ ମାଉଣ୍ଟ ଏଭରେଷ୍ଟକୁ ଦୁଇ ଥର ଆରୋହଣ କରିବାରେ ସେ ବନି ଯାଇଛନ୍ତି ପ୍ରଥମ ମହିଳା। ଏହି ରେକର୍ଡ ପୂର୍ବରୁ ନେପାଳର ଚରିମ ଶେରପାଙ୍କ ନାଁରେ ଥିଲା। ୨୦୧୨ରେ ସେ ସାତ ଦିନରେ ଦୁଇ ଥର ମାଉଣ୍ଡ ଏଭରେଷ୍ଟ ଚଢ଼ି ଥିଲେ।

ଏହା ସହିତ ୩୭ ବର୍ଷୀୟ ଅଂଶୁ ଆଉ ଏକ ରେକର୍ଡ ମଧ୍ୟ କରିଛନ୍ତି।  ପାଞ୍ଚ ଥର ମାଉଣ୍ଟ ଏଭରେଷ୍ଟ ଚଢ଼ିବାରେ ସେ ବନି ଯାଇଛନ୍ତି ପ୍ରଥମ ଭାରତୀୟ ମହିଳା।

ଅଂଶୁ ୨୦୧୧ ରେ ପ୍ରଥମେ ମାଉଣ୍ଟ ଏଭରେଷ୍ଟ ଚଢ଼ି ଥିଲେ। ସେ ସେହିବର୍ଷ ମେ ୧୨ ତାରିଖରେ ମାଉଣ୍ଟ ଏଭରେଷ୍ଟ ଚଢ଼ିଥିଲେ ଓ ଏହା ପରେ ପୁଣି ମେ ୨୧ ତାରିଖରେ ଚଢ଼ିଥିଲେ। ୧୦ ଦିନ ମଧ୍ୟରେ ଦୁଇ ଥର ଏହି ଗିରିଶୃଙ୍ଖ ଚଢ଼ିବାରେ ସେ ବନି ଯାଇଥିଲେ ବିଶ୍ୱର ପ୍ରଥମ ମା’। ଏହା ପରେ ୨୦୧୩ରେ ସେ ପୁଣି ଥରେ ସଫଳତାର ସହ ଏଭରେଷ୍ଟ ଚଢ଼ି ଥିଲେ। ୨୦୧୫ରେ ସେ ଆଉ ଥରେ ଚଢ଼ିବା ଆରମ୍ଭ କରିଥିଲେ। ତେବେ ନେପାଳରେ ଭୂକଂପ ଯୋଗୁଁ ସେ ତାଙ୍କର ଅଭିଯାନକୁ ଅଧାରୁ ବାତିଲ କରିଥିଲେ।

ରିପୋର୍ଟ ଓ ଫଟୋ- ଟାଇମ୍ସ ଅଫ୍ ଇଣ୍ଡିଆ