ସମୁଦ୍ର ପଥରେ ଆସିବ ବରଫ ପାହାଡ଼: ଆଣ୍ଟାର୍କଟିକାର ପାଣିରେ ଚଳିବ ୟୁଏଇ

ଜଳ ହିଁ ଜୀବନ। ଜଳ ନଷ୍ଟ କରିବାର ପରିଣାମ ମଧ୍ୟ ଏବେ ସମଗ୍ର ବିଶ୍ୱ ଭୋଗୁଛି। ତଥାପି ସଚେତନ ହେଉନାହିଁ ଶିକ୍ଷିତ ସମାଜ। ପାଣି ବୁନ୍ଦାଏ ପାଇଁ ଡହଳବିକଳ ହେଉଛି ସମଗ୍ର ବିଶ୍ୱ। ଯଦି କେବେ ତୃତୀୟ ବିଶ୍ୱଯୁଦ୍ଧ ହୁଏ ଜଳ ହିଁ ହେବ ଏହାର ମୁଖ୍ୟ କାରଣ। ସମଗ୍ର ବିଶ୍ୱରେ ଏମିତି କିଛି ଦେଶ ଅଛି ଯେଉଁଠି ୨୫ ବର୍ଷ ପରେ ଜଳ ପାଇଁ ଜୀବସତ୍ତା ଲୋପ ପାଇବାକୁ ଯାଉଛି। ସେଥିମଧ୍ୟରୁ ୟୁଏଇ ଅନ୍ୟତମ।

ଜଳ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆବୁଧାବିର ଏକ କମ୍ପାନୀ ଅବିଶ୍ୱନୀୟ  ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ୟୁଏଇରୁ ଦଶ ହଜାର କିଲୋମିଟର ଦୂର ଆଣ୍ଟାର୍କଟିକା ମହାଦ୍ୱୀପରୁ ବିଶାଳ ବରଫ ପାହାଡ଼ ଆଣି ତାକୁ ତରଳାଇ ପାନୀୟଜଳ ରୂପେ ପ୍ରସ୍ତୁତ କରାଯିବ। ଏହି ଯୋଜନା ୨୦୧୮ ରୁ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି କମ୍ପାନି। ଏହି ବିଶାଳ ବରଫ ପାହାଡ଼କୁ ୟୁଏଇ ସମୁଦ୍ର ତଟକୁ  ଆଣିବା ପାଇଁ ଏକ ବର୍ଷ ସମୟ ଲାଗିବ। ପରେ ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ବକ୍ସରେ ରଖାଯିବ। ସୂର୍ଯ୍ୟଙ୍କ ତାପରେ ବରଫ ତରଳିବା ପରେ ଏହି ଜଳକୁ ବିଶୋଧନ କରାଯାଇ ପାନୀୟ ଜଳ ରୂପେ ବ୍ୟବହାର କରାଯିବ।

ଗୋଟିଏ ଆଇସବର୍ଗରୁ ପାଖାପାଖି ୨୦ ବିଲିୟନ ଗ୍ୟାଲେନ ପାନୀୟ ଜଳ ବାହାରିବ ଯାହାକି ୟୁଏଇ ପାଇଁ ଯଥେଷ୍ଟ। ସମୁଦ୍ରତଟରେ ବରଫ ପାହାଡ଼ ରହିବା ଫଳରେ ବର୍ଷାର ପରିମାଣ ମଧ୍ୟ ବଢିବ। ୟୁଏଇରେ ବର୍ଷକୁ ୧୦୦ ମିମି ବର୍ଷା ହୋଇଥାଏ ଯାହାକି ଅନ୍ୟ ଦେଶ ତୁଳନାରେ ବହୁତ କମ୍‌ ।

courtesy: jagaran