ଅର୍ଦ୍ଧ ଚନ୍ଦ୍ର ଓ ତାରା ଚିହ୍ନ ଥିବା ସବୁଜ ପତାକାକୁ ବିରୋଧ, ସୁପ୍ରିମକୋର୍ଟରେ ମାମଲା

ନୂଆଦିଲ୍ଲୀ: ସବୁଜ ପତାକା ଉପରେ ଅର୍ଦ୍ଧ ଚନ୍ଦ୍ର ଓ ତାରା ଚିହ୍ନ ଥିବା ଫ୍ଲାଗକୁ ଭାରତରେ ବ୍ୟାନ୍‌ କରିବା ପାଇଁ ଶିହା ୱାକଫ ବୋର୍ଡ ମୁଖ୍ୟ ସୟିଦ ୱାସିମ ରିଜଭି କରିଥିବା ଆବେଦନର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି।

ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କୁ ଏନେଇ ଜବାବ ତଲବ କରିଛନ୍ତି। ପାକିସ୍ତାନର ରାଜନୀତିକ ଦଳ ମୁସଲିମ ଲିଗ୍‌ର ପତାକା ସହ ଏଭଳି ସବୁଜ ପତାକା ଉପରେ ଅର୍ଦ୍ଧ ଚନ୍ଦ୍ର ଏବଂ ତାରା ଚିହ୍ନ ଥିବା ପତାକା ମେଳ ଖାଉଥିବାରୁ ଏହାକୁ ଭାରତରେ ବ୍ୟାନ କରିବାକୁ କୁହାଯାଇଛି।

କେନ୍ଦ୍ର ସରକାର ୨ ସପ୍ତାହ ମଧ୍ୟରେ ଏ ସଂକ୍ରାନ୍ତରେ ଜବାବ ଦାଖଲ କରିବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ରିଜଭି ତାଙ୍କ ଆବେଦରେ ଦର୍ଶାଇଛନ୍ତି ଯେ ଅର୍ଦ୍ଧ ଚନ୍ଦ୍ର ଓ ତାରା ଥିବା ସବୁଜ ପତାକାକୁ ବ୍ୟବହାର କରିବାକୁ ଇସଲାମରେ କୁହାଯାଇନାହିଁ। ଇସଲାମରେ ନିର୍ଦ୍ଦିଷ୍ଟ ଭାବେ ଏଭଳି କିଛି ବ୍ୟବସ୍ଥା ନାହିଁ। ପାକିସ୍ତାନର ମୁସଲିମ ଲିଗ ଓ ପାକିସ୍ତାନର ଜାତୀୟ ପତାକାରେ ଏଭଳି ଚିତ୍ର ରହିଛି।

ଭାରତର ବିଭିନ୍ନ ସ୍ଥାନରେ ସବୁଜ ପତାକା ଉପରେ ଅର୍ଦ୍ଧ ଚନ୍ଦ୍ର ଓ ତାରା ଥିବା ପତାକା ମରାଯାଉଛି। ତେଣୁ ଏହାକୁ ବ୍ୟାନ କରିବା ଦରକାର। ୧୯୦୬ରେ ଢାକା ଠାରେ ସର୍ବ ଭାରତୀୟ ମୁସଲିମ ଲିଗ ପ୍ରତିଷ୍ଠାତା ନୱାଜ ୱାକର ଉଲ ମାଲିକ ଓ ମହମ୍ମଦ ଅଲୀ ଜିନ୍ନା ଏହି ପତାକାର ପ୍ରଚଳନ ଆରମ୍ଭ କରିଥିଲେ।

ପାକିସ୍ତାନର ଜାତୀୟ ପତାକା ସର୍ବ ଭାରତୀୟ ମୁସଲିମ ଲିଗ୍‌ର ପତାକା ଦେଖିବାକୁ ପ୍ରାୟ ସମାନ। ପାକିସ୍ତାନ ପତାକାରେ ଅର୍ଦ୍ଧ ଚନ୍ଦ୍ର ଓ ୫ଟି ତାରା ରହିଛି।”