ଆପ୍‌ରେ ସାମିଲ ହେବେ ସାଂସଦ କିର୍ତ୍ତୀ ଆଜାଦ୍‌ଙ୍କ ପତ୍ନୀ

ନୂଆଦିଲ୍ଲୀ: ବିଜେପିରୁ ନିଲମ୍ବିତ ହୋଇଥିବା ବିହାରର ଦରଭଙ୍ଗା ସାଂସଦ କିର୍ତ୍ତୀ ଆଜାଦ୍‌ଙ୍କ ପତ୍ନୀ ପୁନମ ଆଜାଦ୍ ନଭେମ୍ବର ୧୩ରେ ଆମ୍‌ ଆଦମୀ ପାର୍ଟିରେ ସାମିଲ ହେବାକୁ ଯାଉଛନ୍ତି। ଆଜି ଆପ୍‌ର ନେତା ସଞ୍ଜୟ ସିଂହ ଆଜାଦ୍‌ଙ୍କ ଘରକୁ ଯାଇ ଏ ନେଇ ପୁନମଙ୍କ ସହ ଆଲୋଚନା କରିଛନ୍ତି।

କିର୍ତ୍ତୀ ଆଜାଦ୍‌ଙ୍କ ସହ ଦଳ ଅନ୍ୟାୟ କରିଛି ବୋଲି କିଛିଦିନ ପୂର୍ବରୁ ପୁନମ କହିଥିଲେ। ଦଳର ନୀତି ଓ ସିଦ୍ଧାନ୍ତରେ ବିପକ୍ଷରେ ସେ କେବେ କିଛି କରି ନ ଥିଲେ ମଧ୍ୟ ତାଙ୍କୁ ଦଳରୁ ‍ବାହାର କରାଯିବା ଠିକ୍ ହେଲା ନାହିଁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ।

ଡିଡିସିଏ ବିବାଦକୁ ନେଇ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଉପରେ ବାରମ୍ବାର ଆକ୍ରମଣାତ୍ମକ ମନ୍ତବ୍ୟ ଦେବାକୁ ନେଇ କିର୍ତ୍ତୀଙ୍କୁ ଦଳରୁ ନିଲମ୍ବିତ କରାଯାଇଥିଲା।