୧୫ ବର୍ଷ ପରେ କାଶ୍ମୀରକୁ ଫେରିବ ‘କାସୋ’; ଜାଣନ୍ତୁ କ’ଣ ଏହି କାସୋ

ନୂଆଦିଲ୍ଲୀ: କାଶ୍ମୀରରେ ଲଗାତାର ଭାବେ ସେନା ଓ ପୋଲିସ୍‌ର ଯବାନମାନଙ୍କ ଉପରେ ଆକ୍ରମଣ ଏକ ଚିନ୍ତାଜନକ ପ୍ରସଙ୍ଗ ହୋଇଛି। ଏହି ପ୍ରସଙ୍ଗକୁ ସେନା ଗମ୍ଭୀରତାର ସହ ନେଇଛି। ଆତଙ୍କବାଦୀଙ୍କ ବିରୁଦ୍ଧରେ ନିଜ ଅଭିଯାନକୁ ଆହୁରି ସୁଦୃଢ଼ କରିବା ପାଇଁ ‘ଘେରାବନ୍ଦୀ ଓ ଯାଞ୍ଚ ଅଭିଯାନ’ ବା କାସୋକୁ ପୁଣି ଥରେ ଆରମ୍ଭ କରିବାକୁ ସେନା ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ୧୫ ବର୍ଷ ତଳେ ସେନା ଏହି କାର୍ଯ୍ୟ ପ୍ରଣାଳୀକୁ ଛାଡ଼ି ଦେଇଥିଲା।

ମିଳିଥିବା ସୂଚନା ଅନୁଯାୟୀ କାଶ୍ମୀରର ଆତଙ୍କବାଦ ପ୍ରଭାବିତ କୁଲଗାମ, ପୁଲୱାମା, ତରାଲ, ବଡ଼ଗାମ ଓ ସୋପିଆନରେ ବ୍ୟାପକ ଭାବେ ‘କାସୋ’ର ଉପଯୋଗ କରାଯିବ। ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ୧୫ ବର୍ଷ ତଳେ କାଶ୍ମୀରରେ ‘କାସୋ’କୁ ସେନା ବନ୍ଦ କରିବାକୁ ବାଧ୍ୟ ହୋଇଥିଲା। ୨୦୦୧ ପରେ କେବଳ ବିଶେଷ ଗୁଇନ୍ଦା ସୂଚନା ଆଧାରରେ ଘେରାବନ୍ଦୀ ଓ ଯାଞ୍ଚ ଅଭିଯାନ କରାଯାଉଛି।

ନିକଟରେ ସେନାର ଯୁବ ଅଧିକାରୀ ଉମର ଫୟାଜଙ୍କୁ ସୋପିଆନରେ ହତ୍ୟା କରାଯାଇଥିଲା। ଏହି ଘଟଣାକୁ ଦୃଷ୍ଟିରେ ରଖି ସେନା ପୁଣି ଥରେ ‘କାସୋ’ର ଉପଯୋଗ କରିବାକୁ ନିଷ୍ପତ୍ତି ନେଇଛି।

ନ୍ୟୁଜ୍‌ ଓ ଫଟୋ ସୌଜନ୍ୟ: ଆଜ୍‌ତକ୍‌