ଡୋକଲାମକୁ ନେଇ ଚୀନ୍‌କୁ ଘେରିବାକୁ ଭାରତର ସିକ୍ରେଟ୍‌ ପ୍ଲାନ

ନୂଆଦିଲ୍ଲୀ: ଡୋକଲାମ ବିବାଦରେ ଚୀନ ପଛକୁ ହଟିଥିଲେ ବି ନିଜ ଜିଦ ଛାଡିନାହିଁ। ଡୋକଲାମ ନିକଟରେ ନିର୍ମାଣ କାର୍ଯ୍ୟ ଜାରି ରଖିଥିବା ବେଳେ ଅଧିକ ସଂଖ୍ୟାରେ ସୈନ୍ୟ ଠୁଳ କରିବାରେ ଲାଗିଛି। ଏପରିସ୍ଥିତିରେ ଚୀନ୍‌କୁ ଘେରିବାକୁ ଭାରତ ସିକ୍ରେଟ୍‌ ପ୍ଲାନ ବନାଇବାରେ ଲାଗିଛି। ମିଳିଥିବା ରିପୋର୍ଟ ଅନୁସାରେ ଭାରତୀୟ ସେନା ପ୍ରମୁଖ ବିପିନ ରାୱତ, ବିଦେଶ ସଚିବ ବିଜୟ ଗୋଖଲେ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏକ ଗୁପ୍ତ ଗସ୍ତରେ ଭୁଟାନ ଯାଇ ସେଠିକାର ନେତୃତ୍ୱଙ୍କ ସହ ଡୋକଲାମ ବିଷୟରେ ଆଲୋଚନା କରିଛନ୍ତି।

ଏହି ବୈଠକରେ ଦୁଇ ଦେଶ ଦ୍ୱିପାକ୍ଷିକ ସୁରକ୍ଷା ଓ ରକ୍ଷା ସହଯୋଗର ସମୀକ୍ଷା କରିଥିଲେ। ବୈଠକରେ ଦୁଇ ପକ୍ଷ ଡୋକଲାମରେ ଚୀନ୍‌ ସୈନ୍ୟ ଠୁଳ କରିବା ଓ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବା ଉପରେ ଗୁରୁତ୍ୱ ଦେଇଥିଲେ।

ଗତ ୬ ଓ ୭ ତାରିଖରେ ଭାରତୀୟ ଅଧିକାରୀ ଓ ଭୁଟାନ ସରକାରଙ୍କ ମଧ୍ୟରେ ଏହି ବୈଠକ ହୋଇଥିଲା। ଜେନେରାଲ ରାୱତ, ଡୋଭାଲ ଏବଂ ଗୋଖଲେ ଏହି ଗସ୍ତ ଡୋକଲାମ ବିବାଦ ପରେ ଭାରତ ପକ୍ଷରୁ ଭୁଟାନ ଗସ୍ତରେ କୌଣସି ବଡ଼ ଅଧିକାରୀଙ୍କ ଯିବା ପ୍ରଥମ ଘଟଣା। ଉଭୟ ପକ୍ଷ ଏହି ଗସ୍ତକୁ ସମ୍ପୂର୍ଣ୍ଣ ଗୋପନ ରଖିଥିଲେ।

ଆଲୋଚନା ବେଳେ ଭୁଟାନ ଓ ଚୀନ୍‌ର ସୀମାର ସ୍ଥିତିକୁ ନେଇ ଭୁଟାନ, ଭାରତୀୟ ଅଧିକାରୀଙ୍କୁ ସବିଶେଷ ତଥ୍ୟ ଦେଇଥିଲେ।

ଏହି ଗସ୍ତର ତିନି ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସମକକ୍ଷ ଭୁଟାନର ସେରିଙ୍ଗ ତୋବଗେଙ୍କ ସହ ଗୋହ୍ୱାଟିରେ ଏକ ନିବେଶ ସମ୍ମିଳନୀ ଅବସରରେ ଅଲଗା ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ଗତବର୍ଷ ଜୁନ ୧୬ ତାରିଖରୁ ଡୋକଲାମକୁ ନେଇ ୭୩ ଦିନ ପର୍ଯ୍ୟନ୍ତ ମୁହାଁମୁହିଁ ସ୍ଥିତିରେ ଭାରତ ଓ ଚୀନ୍‌ ଥିଲେ। ବିବାଦୀୟ ଡୋକଲାମରେ ଚୀନ୍‌ ରାସ୍ତା ନିର୍ମାଣ କରୁଥିବା ବେଳେ ଭାରତ ପକ୍ଷରୁ ଏହାକୁ ବନ୍ଦ କରିଦିଆ ଯାଇଥିଲା। ଯାହାକୁ ନେଇ ଦୁଇ ଦେଶ ମୁହାଁମୁହିଁ ହୋଇଥିଲେ। ଗୋଟିଏ ପଟେ ଭାରତର ଦମ୍ଭ ଓ ଅନ୍ୟପଟେ ଏହି ଘଟଣାକୁ ନେଇ ବିଶ୍ୱ ଦରବାରରେ ନିନ୍ଦିତ ହେବା ପରେ ଚୀନ୍‌ ବାଧ୍ୟ ହୋଇ ପଛକୁ ହଟିଥିଲା। ହେଲେ ଏହାର କିଛିଦିନ ପରେ ଚୀନ୍‌ ଡୋକଲାମ ଠାରୁ କିଛି ଦୂରରେ ପୁଣି ନିର୍ମାଣ କାମ ଆରମ୍ଭ କରିଛି। ଏହାସହ ସେଠାରେ ଅଧିକରୁ ଅଧିକ ସଂଖ୍ୟାରେ ସୈନ୍ୟ ମୁତୟନ କରିବାରେ ଲାଗିଛି।