ସେନା ପ୍ରମୁଖଙ୍କ କଥାରେ ଚିଡ଼ିଗଲେ ଓୱେସି

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର):  ଭାରତର ସେନା ପ୍ରମୁଖ ବିପିନ୍‌ ରାୱତଙ୍କ କଥାରେ ନିଆଁବାଣ ହୋଇପଡିଛନ୍ତି ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ(ଏଆଇୟୁଡିଏଫ୍)ର ଅଧ୍ୟକ୍ଷ ଅସଦୁଦ୍ଦୀନ୍‌ ଓୱେସି । ‍‍ ‍‍ବିପିନ୍‌ଙ୍କ ଧାଡିଏ କଥାରେ ବିଗିଡିଯାଇଛି ତାଙ୍କ ମୁଣ୍ଡ। ଆଉ କହିଛନ୍ତି, “ସେନା ପ୍ରମୁଖ ଦେଶ ସୁରକ୍ଷା କଥା ଚିନ୍ତା କରନ୍ତୁ, ଅଯଥାରେ ଦେଶର ରାଜନୈତିକ ବାତାବରଣରେ ହସ୍ତକ୍ଷେପ କରନ୍ତୁ ନାହିଁ।” ଆପଣ ଏ କଥା ଶୁଣି ନିଶ୍ଚିତ ଚିନ୍ତା କରୁଥିବେ ଯେ, ବିପିନ ଏମିତି କ’ଣ କହିଛନ୍ତି ଯେ, ଓୱେସି ରାଗିଗଲେ।

ବାସ୍ତବିକ୍‌ କଥାଟି ହେଉଛି ଏମିତି । ସେନା ପ୍ରମୁଖ ଏବେ ଉତ୍ତର ଭାରତ ଗସ୍ତର ଅଛନ୍ତି। ଏଠାରେ ସେ କହିଛନ୍ତି ଯେ, ପାକିସ୍ଥାନ ଓ ଚୀନ୍‌ ଭାରତର ସର୍ବଭୌମତ୍ୱକୁ ହୋହଲାଇବାକୁ ଚେଷ୍ଟା କରି ବିଫଳ ହେବା ପରେ ପରୋକ୍ଷ ଯୁଦ୍ଧକୁ ଆପଣାଇ ନେଇଛନ୍ତି। ଭାରତର ଉତ୍ତର-ପୂର୍ବ ସୀମାନ୍ତରେ ଦେଶକୁ ପ୍ରବେଶ କରୁଥିବା ଶରଣାର୍ଥୀମାନଙ୍କୁ ଚୀନ୍‌ର ଏକ ଚାଲ୍‌ ବୋଲି ସେ କହିଛନ୍ତି। ଏହି ମନ୍ତବ୍ୟ ଦେଉଦେଉ ରାୱତ ଦେଶର ସାମ୍ପ୍ରତିକ ସ୍ଥିତି ଆଡକୁ କିଛି କଥା ମଧ୍ୟ କହି ପକାଇଥିଲେ। ଯାହା ବିବାଦର ମଞ୍ଜି ପାଲଟି ଯାଇଛି। ସେ କହିଛନ୍ତି ଯେ, କାଶ୍ମୀରରେ ଅଶାନ୍ତି ପାଇଁ ପାକିସ୍ଥାନ ଯେଭଳି  ଆତଙ୍କବାଦୀଙ୍କୁ ପ୍ରେରିତ କରୁଛି ସେହିପରି ଉତ୍ତର ଭାରତରେ ଅଶାନ୍ତି ପାଇଁ ଅବୈଧ ଜନସଂଖ୍ୟା ହିଁ ଦାୟୀ। ଭୋଟବ୍ୟାଙ୍କ ରାଜନୀତି ପାଇଁ ଏଭଳି କାର୍ଯ୍ୟକୁ ପ୍ରୋତ୍ସାହନ ଦିଆଯାଉଛି। ଏଠାରେ AIUDF ନାମକ ସଙ୍ଗଠନ ଭାରିମାତ୍ରାରେ ନିଜର କତ୍ତୃତ୍ୱ ବଢାଇ ଚାଲିଛି । ଏପରିକି ବିଜେପି ତୁଳନାର ଏହାର ବିକାଶ ଅଧିକ ହେଉଛି ବୋଲି ସେ ମତ ରଖିଛନ୍ତି। ଯାହାକୁ ଶୁଣି ଦଳର ଅଧ୍ୟକ୍ଷ ଓୱେସି କହିଛନ୍ତି ଯେ, ରାଜନୈତିକ କାରବାରରେ ରାୱତ ମୁଣ୍ଡଖେଳାଇବା ଅନୁଚିତ୍‌। ସେ ନିଜ କାମରେ ମନ ଦିଅନ୍ତୁ।