ବିଜୟ ଦିବସରେ ପାକିସ୍ତାନକୁ ସେନାଧ୍ୟକ୍ଷଙ୍କ କଡ଼ା ଭାଷାରେ ଧମକ

ଡ୍ରାସ: ଆଜି କାର୍ଗିଲ ବିଜୟକୁ ୨୦ ବର୍ଷ ପୂରିଛି। ଏହି ଦିନଟିକୁ ସମଗ୍ର ଦେଶ ବିଜୟ ଦିବସ ଭାବେ ପାଳନ କରୁଛି। ହେଲେ ଆଜିର ବିଜୟ ଦିବସରେ ଭାରତର ସେନାଧ୍ୟକ୍ଷ ଜେନେରାଲ ବିପନ ରାୱତ ପାକିସ୍ତାନକୁ କଡ଼ା ଭାଷାରେ ଧମକ ଦେଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ପାକିସ୍ତାନ ଯଦି ଆଉ ଥରେ ଆମ ସହ ଯୁଦ୍ଧ କରିବାକୁ ଚାହେଁ, ତା’ହେଲେ ଇସ୍‌ଲାମାବାଦ ନିଶ୍ଚିତ ଭାବେ ବୁଦ୍ଧି ଶିଖବ। ତେଣୁ ପାକିସ୍ତାନ ଆଉ ଥରେ ଏପରି ଭୁଲ କରିବାକୁ ଚେଷ୍ଟା ନକରିବା ଭଲ।

ସାଧାରଣତଃ କେହି ଦ୍ୱିତୀୟ ଥର ଦୁଃସାହସ କରନ୍ତି ନାହିଁ। ଯଦି କେହି ସେଭଳି ଭୁଲ କରେ, ତା’ହେଲେ ସେ ନିଶ୍ଚିତ ଭାବେ ଉଚିତ ଶିକ୍ଷା ପାଇବ। ଆମେ ଏବେ ଆମ ଅସ୍ତ୍ରଶସ୍ତ୍ର ଅତ୍ୟାଧୁନିକ ଢାଞ୍ଚାରେ ନିର୍ମାଣ କରୁଛୁ।

୨୦୨୦ ସୁଦ୍ଧା ଆମ ପାଖରେ ହୋଇଜର, କେ-୯ ବଜ୍ର ଓ ‍ବୋର୍ଫସ ଭଳି ତୋପ ପହଞ୍ଚିବ। ବର୍ତ୍ତମାନ ଏଲଓସିରେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ମୁଁ ଦେଶବାସୀଙ୍କୁ ଏତିକି କହିବାକୁ ଚାହେଁ ଯେ ଆମ ଯବାନମାନେ ସର୍ବଦା ଆପଣମାନଙ୍କ ସୁରକ୍ଷା ପାଇଁ ରହିଛନ୍ତି। ଆମ ଯବାନମାନେ ସୀମାରେ ସର୍ବଦା ଆଲର୍ଟ ହୋଇ ରହିଛନ୍ତି।”

ପାକିସ୍ତାନ ଆତଙ୍କବାଦ ଓ ଆତଙ୍କବାଦୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଛି ବୋଲି ବାରମ୍ବାର କହୁଥିବାରରୁ ଏହା ଉପରେ ପ୍ରତିକ୍ରିୟା ଦେଇ ଜେନେରାଲ ରାୱତ ଆହୁରି କହିଛନ୍ତି, “ କଥା କହିବା ଓ କାର୍ଯ୍ୟାନୁଷ୍ଠାନ ଭିତରେ ଅନେକ ପାର୍ଥକ୍ୟ ରହିଛି। ପାକିସ୍ତାନର ଅବସ୍ଥା କ’ଣ ସେକଥା ଆମେ ସମସ୍ତେ ଭଲ ଭାବେ ଜାଣିଛୁ। ପାକିସ୍ତାନକୁ କିଏ ନିୟନ୍ତ୍ରଣ କରୁଛି, ସେକଥା ମଧ୍ୟ ସମସ୍ତଙ୍କୁ ଭଲ ଭାବେ ଜଣା। ଟଙ୍କା ପାଇଁ ସେମାନେ କିଛି ବି କରିପାରନ୍ତି।

ଟଙ୍କା ପାଇଗଲେ, ସେମାନେ ପୁଣିଥରେ ନିଜର ପୂର୍ବ କାର୍ଯ୍ୟ କରିବାରେ ବ୍ୟସ୍ତ ରୁହନ୍ତି। ପାକିସ୍ତାନ କେବେ ହେଲେ ସୁଧୁରିବ ନାହିଁ। ପାକିସ୍ତାନ ଜାଣିଶୁଣି କଶ୍ମୀର ପ୍ରସଙ୍ଗକୁ ଜୀବିତ ରଖିବାକୁ ଚେଷ୍ଟା କରୁଛି। ବିଶ୍ୱବାସୀ ଜାଣିଛନ୍ତି, ପାକିସ୍ତାନରେ ହିଁ ଆତଙ୍କୀମାନେ ତାଲିମ ନେଉଛନ୍ତି ଏବଂ ସେଠାରେ ଆତଙ୍କୀ କ୍ୟାମ୍ପ ରହିଛି। ପାକିସ୍ତାନ ଯୁବକମାନଙ୍କୁ ଆତଙ୍କବାଦର ପଥା ଅନୁସରଣ କରିବାକୁ ପ୍ରଚେଷ୍ଠା ମଧ୍ୟ କରୁଛି।”