ସେନାର ଦିଲ୍ଲୀ ଅଭିଯାନ ପ୍ରସଙ୍ଗ: ମନୀଷଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସରେ ଭିନ୍ନମତ

manish-tiwaree
ମନୀଷ ତିୱାରୀ

ନୂଆଦିଲ୍ଲୀ: ୨୦୧୨ରେ ସେନାର ଏକ ଟିମ୍ ଦିଲ୍ଲୀକୁ ମାର୍ଚ୍ଚପାଷ୍ଟ କରିବା ଖବରକୁ ନେଇ ପୁଣି ରାଜନୀତି ଆରମ୍ଭ ହୋଇଯାଇଛି। ବରିଷ୍ଠ କଂଗ୍ରେସ ନେତା ମନୀଷ ତିୱାରୀ ଗତକାଲି କହିଥିଲେ ଯେ ୨୦୧୨ରେ ସେନାର ଏକ ଟିମ୍ ଦିଲ୍ଲୀକୁ ମାର୍ଚ୍ଚପାଷ୍ଟ୍ କରିବା କଥା ସତ। ବର୍ତ୍ତମାନର ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂହଙ୍କ ନିର୍ଦ୍ଦେଶରେ ଏପରି କରାଯାଇଥିଲା। କଂଗ୍ରେସ ଏହି ଘଟଣାକୁ ଅସ୍ୱୀକାର କରିଥିବା ବେଳେ ବିଜେପି ପକ୍ଷରୁ ମନୀଷ ତିୱାରୀଙ୍କ ଏହି ଦାବିର ସମୟ ଉପରେ ପ୍ରଶ୍ନ କରିଛି। ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂହ ମଧ୍ୟ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ଗତକାଲି ସଂଧ୍ୟାରେ ମନୀଷ ତିୱାରୀ ଦେଇଥିବା ଏଭଳି ଏକ ମନ୍ତବ୍ୟକୁ ଆଜି ସକାଳୁ ସକାଳୁ କଂଗ୍ରେସ ପକ୍ଷରୁ ଆନୁଷ୍ଠାନିକ ଭାବେ ଖଣ୍ଡନ କରାଯାଇଥିଲା। ଅନ୍ୟପକ୍ଷରେ ଦ୍ୱିପହରେ ମନୀଷ ତିୱାରୀ ତାଙ୍କ ମନ୍ତବ୍ୟ ଫେରାଇ ନେବାକୁ ମନା କରି ଥିଲେ। ସେ ଠିକ୍ କଥା କହିଛନ୍ତି ବୋଲି ଦାବି କରିଥିଲେ।

ଅନ୍ୟପକ୍ଷରେ ମନୀଷଙ୍କ ଏହି ବୟାନକୁ ନେଇ କଂଗ୍ରେସରେ ଦୁଇ ପ୍ରକାରର ମତ ଆସୁଛି। କଂଗ୍ରେସ ତରଫରୁ ପିସି ଚୋକେ କହିଥିଲେ ଯେ ୨୦୧୨ରେ ପ୍ରକାଶିତ ଉକ୍ତ ରିପୋର୍ଟକୁ ତାଙ୍କ ଦଳ ଖଣ୍ଡନ କରୁଛି। ସରକାରଙ୍କ ବିନା ଅନୁମତିରେ ସେନାର କୌଣସି ଟିମ୍ ଦିଲ୍ଲୀ ଅଭିମୁଖେ ଆସି ନ ଥିଲା। ତେବେ ଚୋକେଙ୍କ ବୟାନ ଆସିବା ପୂର୍ବରୁ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟାର କହିଥିଲେ ଯେ ସେହି ରାତିରେ କିଛି ନା କିଛି ଘଟିଥିଲା ଯାହା ସମ୍ବିଧାନ ବିରୋଧୀ ଥିଲା। ଅନ୍ୟପକ୍ଷରେ ବରିଷ୍ଠ କଂଗ୍ରେସ ନେତା ଏଏମ୍ ସାଂଘଭି କହିଛନ୍ତି ଯେ ମନୀଷ ତିୱାରୀ ସେତେବେଳେ କ୍ୟାବିନେଟ ଅବା କୌଣସି ସୁରକ୍ଷା କମିଟିର ସଦସ୍ୟ ନ ଥିଲେ। ତାଙ୍କ ଅଭିଯୋଗରେ କୌଣସି ସତ୍ୟତା ନାହିଁ।

ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଜେନେରାଲ ଭି.କେ ସିଂହ କହିଛନ୍ତି ଯେ ତାଙ୍କ ଦ୍ୱାରା ଲିଖିତ ପୁସ୍ତକକୁ ମନୀଷ ତିୱାରୀ ପଢ଼ନ୍ତୁ। ତା’ହେଲେ ସବୁ କଥା ସଫା ହୋଇଯିବ।