ଅରୁଣାଚଳ ପ୍ରଦେଶରେ ରାଷ୍ଟ୍ରପତି ଶାସନ ପାଇଁ ସୁପାରିଶ

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଘନେଇଛି ରାଜନୈତିକ ସଂକଟ। ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ରବିବାର କେନ୍ଦ୍ର କ୍ୟାବିନେଟ୍ ସୁପାରିଶ କରିଛନ୍ତି । କ୍ୟାବିନେଟ ଏହା ଉପରେ ମୋହର ଲଗାଇବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯାଇଛି।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ରାଜନୀତି ଜୋର ଧରିଛି। ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଏହାକୁ ସମାଲୋଚନ କରି କହିଛନ୍ତି,‘ରାଜ୍ୟସଭାରେ ବିଜେପିର ବହୁମତ ନାହିଁ। ତେଣୁ ସେମାନେ ଏମିତି ରାଜନୀତି କରୁଛନ୍ତି। ତାଙ୍କୁ ଲାଗୁଛି ଟଙ୍କା ବଳରେ ଅରୁଣାଚଳ ପ୍ରଦେଶରେ ସରକାର ଗଢ଼ିବେ।’

ଅରୁଣାଚଳ ପ୍ରଦେଶରେ କଂଗ୍ରେସର କିଛି ବିଧାୟକ ବିଦ୍ରୋହ କରିଛନ୍ତି। ଗତ ଡିସେମ୍ବର ୧୬-୧୭ ତାରିଖରେ ଏହି ବିଦ୍ରୋହୀ ବିଧାୟକମାନେ ବିଜେପି ସହିତ ମିଶି ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। କଂଗ୍ରେସ ସରକାର ଆସ୍ଥା ଭୋଟ୍ ଜିତି ପାରି ନ ଥିଲେ। ତଥାପି ରାଜ୍ୟ ସରକାର ବିଧାନସଭା ଭଙ୍ଗ କରିବା ମୁଡରେ ନାହାନ୍ତି। ଯେମିତି ସେମିତି ହେଲେ ସରକାରକୁ ବଂଚାଇ ରଖିବାକୁ ଉଦ୍ୟମ ଚାଲିଛି।

ରୋଚକର କଥା ହେଉଛି ଗତ ଡିସେମ୍ବରରେ ଅରୁଣାଚଳ ସରକାର ବିଧାନସଭା ସୌଧକୁ ସିଲ୍ କରି ଦେଇଥିଲେ। କିନ୍ତୁ ବିଦ୍ରୋହୀମାନେ ଏକ ହୋଟେଲରେ ହିଁ ଅଧିବେଶନ ଡାକି ଦେଇଥିଲେ। ଏହା ପୂର୍ବରୁ ବିଧାନସଭା ବାଚସ୍ପତି କଂଗ୍ରେସର ୧୪ ବିଦ୍ରୋହୀ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରି ଦେଇଥିଲେ। କିନ୍ତୁ ଉପ-ବାଚସ୍ପତି ସେମାନଙ୍କ ସଦସ୍ୟତା ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ବିଦ୍ରୋହୀମାନେ ହୋଟେଲରେ କରିଥିବା ବିଧାନସଭା ଅଧିବେଶନକୁ ଗୌହାଟୀ ହାଇକୋର୍ଟ ଜାନୁଆରୀ ୧୪ରେ ରଦ୍ଦ କରି ଦେଇଥିଲେ। ପରେ ମାମଲା ଯାଇ ପହଞ୍ଚିଛି ସୁପ୍ରିମକୋର୍ଟରେ। ସର୍ବୋଚ୍ଚ ନ୍ୟାୟାଳୟ ମାମଲାଟିକୁ ଏକ ସାମ୍ବିଧାନିକ ବେଞ୍ଚ୍ ପାଖକୁ ପଠାଇ ଦେଇଛନ୍ତି। ମାମଲାଟି ଏବେ ସେଠାରେ ବିଚାରାଧୀନ ରହିଛି।

ଅରୁଣାଚଳ ବିଧାନସଭାରେ ୬୦ଟି ଆସନ ଅଛି। ୨୦୧୪ ନିର୍ବାଚନରେ ୪୨ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା। ବିଜେପି ପାଇଥିଲା ୧୧ଟି ଆସନ। ସେହିପରି ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ ପ୍ରଦେଶ (ପିପିଏ)କୁ ୫ଟି ଆସନ ମିଳିଥିଲା। ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ପରେ କଂଗ୍ରେସରେ ମିଶି ବିଲୟ ହୋଇଯାଇଥିଲା ପିପିଏ। ଆଉ କଂଗ୍ରେସର ସଭ୍ୟ ସଂଖ୍ୟା ୪୭ରେ ପହଞ୍ଚିଥିଲା। କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ତୁକିଙ୍କ ପାଖରେ ମାତ୍ର ୨୬ ଜଣ ସଭ୍ୟଙ୍କ ସମର୍ଥନ ରହିଛି। କିନ୍ତୁ ସରକାରରେ ରହିବା ପାଇଁ ତାଙ୍କୁ ଅତିକମରେ ୩୧ ଜଣ ବିଧାୟକଙ୍କ ସମର୍ଥନ ଲୋଡ଼ା।