ଅରୁଣାଚଳ ପ୍ରଦେଶରେ ରାଷ୍ଟ୍ରପତି ଶାସନ ଜାରି

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ଜାରି ହେଲା ରାଷ୍ଟ୍ରପତି ଶାସନ। ସେଠାରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଗତ ରବିବାର କେନ୍ଦ୍ର କ୍ୟାବିନେଟ  ସୁପାରିଶ କରିଥିଲା। ଏହି ନିଷ୍ପତ୍ତି ଉପରେ କ୍ୟାବିନେଟ ଏହା ଉପରେ ମୋହର ଲଗାଇବା ପରେ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇଥିଲା। ଆଜି ରାଷ୍ଟ୍ରପତି ଏହି ସୁପାରିଶକୁ ଅନୁମୋଦନ କରିବା ପରେ ଅରୁଣାଚଳ ପ୍ରଦେଶରେ ରାଷ୍ଟ୍ରପତି ଶାସନ ଜାରି ହୋଇଛି।

କେନ୍ଦ୍ରଗୃହ ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଅରୁଣାଚଳ ପ୍ରଦେଶରେ  ସାମ୍ବିଧାନିକ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ରାଷ୍ଟ୍ରପତି ଶାସନ ଜାରି କରିବାକୁ ବାଧ୍ୟ ହୋଇଛନ୍ତି।

ଗତକାଲି ଏ ସମ୍ପର୍କରେ ଆଲୋଚନା କରିବାକୁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କେନ୍ଦ୍ର ଗୃହ ମନ୍ତ୍ରୀ ରାଜନାଥ ସିଂହଙ୍କୁ ଡାକିଥିଲେ। ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରିବାର ଆବଶ୍ୟକତା ସମ୍ପର୍କରେ କିଛି ତଥ୍ୟ ପ୍ରଚାରି ବୁଝିଥିଲେ। ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ  ରାଷ୍ଟ୍ରପତିଙ୍କୁ ଭେଟି ଅରୁଣାଚଳ ପ୍ରଦେଶରେ  ରାଷ୍ଟ୍ରପତି ଶାସନ  ଜାରି ନ କରିବାକୁ ଅନୁରୋଧ କରିଥିଲେ।

ଅରୁଣାଚଳ ପ୍ରଦେଶରେ କଂଗ୍ରେସର କିଛି ବିଧାୟକ ବିଦ୍ରୋହ କରିଛନ୍ତି। ଗତ ଡିସେମ୍ବର ୧୬-୧୭ ତାରିଖରେ ଏହି ବିଦ୍ରୋହୀ ବିଧାୟକମାନେ ବିଜେପି ସହିତ ମିଶି ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ।

ରୋଚକର କଥା ହେଉଛି ଗତ ଡିସେମ୍ବରରେ ଅରୁଣାଚଳ ସରକାର ବିଧାନସଭା ସୌଧକୁ ସିଲ୍ କରି ଦେଇଥିଲେ। କିନ୍ତୁ ବିଦ୍ରୋହୀମାନେ ଏକ ହୋଟେଲରେ ହିଁ ଅଧିବେଶନ ଡାକି ଦେଇଥିଲେ। ଏହା ପୂର୍ବରୁ ବିଧାନସଭା ବାଚସ୍ପତି କଂଗ୍ରେସର ୧୪ ବିଦ୍ରୋହୀ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରି ଦେଇଥିଲେ। କିନ୍ତୁ ଉପ-ବାଚସ୍ପତି ସେମାନଙ୍କ ସଦସ୍ୟତା ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ବିଦ୍ରୋହୀମାନେ ହୋଟେଲରେ କରିଥିବା ବିଧାନସଭା ଅଧିବେଶନକୁ ଗୌହାଟୀ ହାଇକୋର୍ଟ ଜାନୁଆରୀ ୧୪ରେ ରଦ୍ଦ କରି ଦେଇଥିଲେ। ପରେ ମାମଲା ଯାଇ ପହଞ୍ଚିଛି ସୁପ୍ରିମକୋର୍ଟରେ। ସର୍ବୋଚ୍ଚ ନ୍ୟାୟାଳୟ ମାମଲାଟିକୁ ଏକ ସାମ୍ବିଧାନିକ ବେଞ୍ଚ୍ ପାଖକୁ ପଠାଇ ଦେଇଛନ୍ତି। ମାମଲାଟି ଏବେ ସେଠାରେ ବିଚାରାଧୀନ ରହିଛି।

ଅରୁଣାଚଳ ବିଧାନସଭାରେ ୬୦ଟି ଆସନ ଅଛି। ୨୦୧୪ ନିର୍ବାଚନରେ ୪୨ଟି ଆସନରେ କଂଗ୍ରେସ ବିଜୟୀ ହୋଇଥିଲା। ବିଜେପି ପାଇଥିଲା ୧୧ଟି ଆସନ। ସେହିପରି ପିପୁଲ୍ସ ପାର୍ଟି ଅଫ୍ ଅରୁଣାଚଳ ପ୍ରଦେଶ (ପିପିଏ)କୁ ୫ଟି ଆସନ ମିଳିଥିଲା। ୨ଟି ଆସନରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଥିଲେ। ପରେ କଂଗ୍ରେସରେ ମିଶି ବିଲୟ ହୋଇଯାଇଥିଲା ପିପିଏ। ଆଉ କଂଗ୍ରେସର ସଭ୍ୟ ସଂଖ୍ୟା ୪୭ରେ ପହଞ୍ଚିଥିଲା। କିନ୍ତୁ ଏବେ ମୁଖ୍ୟମନ୍ତ୍ରୀ ତୁକିଙ୍କ ପାଖରେ ମାତ୍ର ୨୬ ଜଣ ସଭ୍ୟଙ୍କ ସମର୍ଥନ ରହିଛି। କିନ୍ତୁ ସରକାରରେ ରହିବା ପାଇଁ ତାଙ୍କୁ ଅତିକମରେ ୩୧ ଜଣ ବିଧାୟକଙ୍କ ସମର୍ଥନ ଲୋଡ଼ା।