ଅରୁଣାଚଳ ପ୍ରଦେଶରେ ରାଷ୍ଟ୍ରପତି ଶାସନ ଜାରି ପ୍ରସଙ୍ଗ: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ମଙ୍ଗଳବାରଠାରୁ ଅରୁଣାଚଳ ପ୍ରଦେଶରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଛି। ତେବେ ବୁଧବାର ଏନେଇ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି। ଶୁକ୍ରବାର ସୁଦ୍ଧା ଜବାବ ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅରୁଣାଚଳ ପ୍ରଦେଶରେ ରାଷ୍ଟ୍ରପତି ଶାସନ ଜାରି କରାଯିବାକୁ କଂଗ୍ରେସ ପକ୍ଷରୁ ଦାଖଲ କରାଯାଇଥିବା ଏକ ପିଟିସନର ଜରୁରୀକାଳିନ ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୧ ତାରିଖରେ ହୋଇପାରେ।

କେଉଁ ଆଧାରରେ ଅରୁଣାଚଳ ପ୍ରଦେଶରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ରାଜ୍ୟପାଳ ସୁପାରିଶ କଲେ ତାହା ଦର୍ଶାଇବା ପାଇଁ ଆଜି ଶୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟ ପଚାରିଥିଲେ। ୧୫ ମିନିଟ ମଧ୍ୟରେ ଇ-ମେଲ ମାଧ୍ୟମରେ କୋର୍ଟରେ ଉତ୍ତର ରଖିବାକୁ ରାଜ୍ୟପାଳ ଜେ.ପି ରାଜଖ୍ୱାଙ୍କ ଓକିଲକୁ ନିର୍ଦ୍ଦେଶ ଦିଆଯାଇଥିଲା।

ଅରୁଣାଚଳ ପ୍ରଦେଶ ବିଧାନସଭା ପ୍ରସଙ୍ଗ ସୁପ୍ରିମକୋର୍ଟଙ୍କ ଏକ ୫ ଜଣିଆ ବେଞ୍ଚ୍ ଆଗରେ ବିଚାରାଧୀନ ରହିଛି। ତେଣୁ ଏହି ସଦ୍ୟ ପିଟିସନ୍ ଏକ ଜଟିଳ ସ୍ଥିତି ସୃଷ୍ଟି କରିଛି।

ଅରୁଣାଚଳ ପ୍ରଦେଶ ବିଧାନସଭାରେ ୬୦ଟି ଆସନ ରହିଛି। ସେମାନଙ୍କ ମଧ୍ୟରୁ ୪୭ ଜଣ ବିଧାୟକ ଥିଲେ କଂଗ୍ରେସର। ତେବେ ଦଳର ୨୧ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିବା ପରେ ସୃଷ୍ଟି ହୋଇଥିଲା ଅଡୁଆ। ୧୧ ଜଣ ବିଜେପି ବିଧାୟକ ବି ସେମାନଙ୍କୁ ସମର୍ଥନ କରିଥିଲେ। ଏହା ପରେ ମୁଖ୍ୟମନ୍ତ୍ରୀ ନାବମ ତୁକିଙ୍କ ସରକାର ୧୪ ଜଣ କଂଗ୍ରେସ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରି ଥିଲେ। ଡିସେମ୍ବର ୧୬ ତାରିଖରେ ରାଜ୍ୟପାଳ ବିଧାନସଭାର ଏକ ଅଧିବେଶନ ଡାକିଥିଲେ। ସରକାର ବିଧାନସଭା ସୌଧ ସିଲ୍ କରି ଦେବାରୁ ଇଟ୍ଟାନଗରର ଏକ କମ୍ୟୁନିଟି ହଲରେ ଏହି ଅଧିବେଶନ ବସିଥିଲା। ଏଥିରେ ଉପ-ବାଚସ୍ପତି ୧୪ ଜଣ କଂଗ୍ରେସ ବିଧାୟକଙ୍କ ରଦ୍ଦ ସଭ୍ୟ ପଦକୁ ପ୍ରତ୍ୟାହାର କରି ନେଇଥିଲେ ଏବଂ ବାଚସ୍ପତି ନାବାମ ରେବିଆଙ୍କୁ ତାଙ୍କ ପଦରୁ ହଟାଇ ଥିଲେ। ରାଜ୍ୟପାଳ ଓ ଉପ-ବାଚସ୍ପତିଙ୍କ ଏ ସବୁ ନିଷ୍ପତ୍ତିକୁ ସେ କୋର୍ଟରେ ଚ୍ୟାଲେଞ୍ଜ୍ କରିଛନ୍ତି।