ନୂଆ ଟ୍ରାଫିକ ଜୋରିମାନା: କେନ୍ଦ୍ରକୁ କେଜ୍ରିୱାଲଙ୍କ ସମର୍ଥନ

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ରୁ ଦେଶରେ ଲାଗୁ ହୋଇଥିବା ନୂଆ ଟ୍ରାଫିକ ନିୟମ ଓ ଜୋରିମାନା ଆଦାୟକୁ ନେଇ ଅନେକ ବିଜେପି ଶାସିତ ଅଞ୍ଚଳ ଆପତ୍ତି ଉଠାଇଛନ୍ତି। କିନ୍ତୁ ପ୍ରତିକଥାରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳିଛି।

ସେ କେନ୍ଦ୍ର ସରକାରଙ୍କ ଏହି ନୂଆ ନିୟମକୁ ସମର୍ଥନ କରିଛନ୍ତି। କେଜ୍ରିୱାଲ କହିଛନ୍ତି, “ନୂଆ ସଡ଼କ ନିୟମ ଯୋଗୁ ଦିଲ୍ଲୀରେ ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ଆସିଛି। ନୂଆ ମଟୋର ଭେଇକିଲ ଆକ୍ଟ ଲାଗୁ ହେବା ଯୋଗୁ ଏପରି ହୋଇଛି। ଯଦି ନୂଆ ନିୟମରେ ଥିବା କୌଣସି କ୍ଲଜକୁ ନେଇ ଲୋକମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତା’ହେଲେ ଆମେ ଏହାକୁ ଆମ କ୍ଷମତା ଅନୁସାରେ ବଦଳାଇବାକୁ ଚେଷ୍ଟା କରିବୁ।

ନୂଆ ନିୟମ ପାଇଁ ଏବେ ରାସ୍ତା ଗୁଡ଼ିକରେ ଯିବା ଆସିବା କରିବା ସହଜ ହେଉଛି। ଟ୍ରାଫିକ ବ୍ୟବସ୍ଥା ପୂର୍ବରୁ ବିପର୍ଯ୍ୟସ୍ତ ଥିଲା। ହେଲେ ଏବେ ଏଥିରେ ସୁଧାର ଆସିଛି।”

ଅନ୍ୟପକ୍ଷରେ ନୂଆ ଟ୍ରାଫିକ ନିୟମରେ ଅଧିକ ପରିମାଣର ଜୋରିମାନା ଆଦାୟ ବ୍ୟବସ୍ଥା ଥିବାରୁ ଆଇନ୍‌ରେ ସଂଶୋଧନ ପାଇଁ ଏକାଧିକ ରାଜ୍ୟ ଦାବି କରିଛନ୍ତି।

ଦେଶର ପ୍ରଥମ ରାଜ୍ୟ ଭାବେ ଗୁଜରାଟ ଜୋରିମାନା ଆଦାୟ ଅର୍ଥକୁ ହ୍ରାସ କରିଥିଲା। ମହାରାଷ୍ଟ୍ର, ଗୋଆ ଓ କର୍ଣ୍ଣାଟକା ଭଳି ବିଜେପି ଶାସିତ ରାଜ୍ୟଗୁଡ଼ିକ ମଧ୍ୟ ଜୋରିମାନା ଅର୍ଥ ହ୍ରାସ କରିବାକୁ ଦାବି କରିଛନ୍ତି। ମଧ୍ୟପ୍ରଦେଶ, କେରଳ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟଗୁଡ଼ିକ ନୂଆ ନିୟମକୁ ଏଯାଏ ଲାଗୁ କରିନାହାନ୍ତି।