କ୍ୟାମେରାମ୍ୟାନ୍ ବେଶରେ ଆତଙ୍କବାଦୀଙ୍କ ବିସ୍ଫୋରଣ, ୮ ସାମ୍ବାଦିକଙ୍କ ସମେତ ୨୯ ମୃତ

କାବୁଲ: ଦୈତ ବିସ୍ଫୋରଣରେ ପୁଣି ଥରିଲା ଆଫଗାନିସ୍ତାନ ରାଜଧାନୀ କାବୁଲ  ସହର। ସହରର ଶଶଦାରକ  ଅଞ୍ଚଳରେ ଆଜି ହୋଇଥିବା ବିସ୍ଫୋରଣରେ ୮ ଜଣ ସାମ୍ବାଦିକଙ୍କ ସମେତ ୨୯ ଜଣଙ୍କ ମୃତ୍ୟୁ ହୋଇଛି । ବହୁ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣ ହୋଇଥିବା ଅଞ୍ଚଳରେ ଆମେରିକା ଦୂତାବାସ ସମେତ ଆଫଗାନିସ୍ତାନ ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଅଫିସ୍ ରହିଛି।  ନରସଂହାର ଘଟାଇଛି ଆତଙ୍କବାଦୀ ସଂଗଠନ ISIS । ଆମେରିକା ଦୂତାବାସ ସମେତ ଆଫଗାନିସ୍ତାନ ସରକାରଙ୍କ  ବହୁ ଗୁରୁତ୍ୱପୂର୍ଣ୍ଣ ଅଫିସ୍ ଥିବା ଶଶଦାରକ  ଅଞ୍ଚଳରେ ଆଜି ହୋଇଥିବା କ୍ରମାଗତ ଦୁଇଟି ବିସ୍ଫୋରଣରେ ୮ ସାମ୍ବାଦିକଙ୍କ ସମେତ ୨୯ ଜଣଙ୍କ ମୃତ୍ୟୁ ଘଟିଛି।

୪୫ରୁ ଅଧିକ ଲୋକ ଆହତ ହୋଇଛନ୍ତି ।  ସ୍ଥାନୀୟ ସମୟ ଆଜି ସକାଳ ପ୍ରାୟ ୮ଟା ବେଳେ ପ୍ରଥମ ବିସ୍ଫୋରଣ ଘଟିଥିଲା।  ଜଣେ ଆତତାୟୀ ବାଇକ୍‌ରେ ଆସି ବୋମାମାଡ଼ କରିଥିଲେ। ଏଥିରେ ୫ଜଣ ଲୋକଙ୍କ ମୃତ୍ୟୁ ହେବା ସହ ୧୦ରୁ ଅଧିକ ଆହତ ହୋଇଥିଲେ । ତେବେ ଏହା ଗୁରୁତ୍ୱପୂର୍ଣ୍ଣ ଅ଼ଞ୍ଚଳ ହୋଇଥିବାରୁ ବହୁ ସଂଖ୍ୟାରେ ସାମ୍ବାଦିକ ଖବର ସଂଗ୍ରହ ଲାଗି ସେଠାରେ ପହ଼ଞ୍ଚିଥିଲେ।  ଆଉ ପୂର୍ବ ଯୋଜନାମୂତାବକ କ୍ୟାମେରାମ୍ୟାନ୍ ବେଶରେ ଥିବା ଜଣେ ଆତଙ୍କବାଦୀ ଆତ୍ମଘାତୀ ବିସ୍ଫୋରଣ ଘଟାଥିଲା।

ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ, ମୃତକଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇ ଏଣେତେଣେ ପଡିଥିଲା।   ଆଫଗାନିସ୍ତାନରେ କାର୍ଯ୍ୟକରୁଥିବା ଏଏଫପିର ମୁଖ୍ୟ ଭିଡିଓ ଜର୍ଣ୍ଣାଲିଷ୍ଟ ସାହା ମାରାଇ ଫୈଜିଙ୍କ ସହିତ ଆଇଟିଭିର ଦୁଇ ସାମ୍ବାଦିକ, ଟୋଲୋ ନ୍ୟୁଜ ଓ ଜହାନ ଟିଭିର ଜଣେ ଲେଖାଏଁ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ବିସ୍ଫୋରଣରେ ଅନେକ ଗଣମାଧ୍ୟମ ପ୍ରତିନିଧି ଓ କର୍ମଚାରୀ ଆହତ ମଧ୍ୟ ହୋଇଛନ୍ତି ।  ଗଣମାଧ୍ୟମ ପ୍ରତିନିଧିକୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିବା ସ୍ପଷ୍ଟ ହୋଇଛି । ଯାହାକି ଏକ ବିରଳ ଘଟଣା। ଗତ ସପ୍ତାହରେ ଏକ ଭୋଟର ପରିଚୟପତ୍ର ପଂଜୀକରଣ କାର୍ଯ୍ୟାଳୟରେ ଭୟଙ୍କର ବିସ୍ଫୋରଣ ଘଟିଥିଲା । ଏଥିରେ ୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।  ଏହି ଆକ୍ରମଣ ଲାଗି ମଧ୍ୟ ISIS ନିଜକୁ ଦାୟୀ କରିଥିଲା । ଆତଙ୍କବାଦୀ ସଂଗଠନ ISIS ନିଜ ବର୍ବର କାର୍ଯ୍ୟ  ଜାରି ରଖିବା ସହ ସାଧାରଣ ଲୋକଙ୍କୁ ଟାର୍ଗେଟ କରିବା ଜାରି ରଖିଛି।