ଫୁଡ୍‌ ଫେଷ୍ଟିଭାଲ ବେଳେ ଚାଲିଲା ଗୁଳି, ୩ ମୃତ

କାର୍ଲିଫର୍ଣ୍ଣିଆ: ଆମେରିକାର କାଲିଫର୍ଣ୍ଣିଆରେ ବାର୍ଷିକ ଫୁଡ୍‌ ଫେଷ୍ଟିଭାଲ ଚାଲିଥିବା ବେଳେ ଏକ ଭୟଙ୍କର ଗୁଳିକାଣ୍ଡ ଘଟିଛି। ଏଥିରେ ୩ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଜଣେ ୬ ବର୍ଷୀୟ ଶିଶୁ ରହିଛନ୍ତି।

ସେହିପରି ସୁରକ୍ଷାକର୍ମୀଙ୍କ ପାଲଟା ଗୁଳିରେ ଆକ୍ରମଣକାରୀ ଜଣଙ୍କ ନିହତ ହୋଇଛି। ଏହି ଘଟଣାରେ ଆଉ ଜଣେ ହମ୍‌ଲାକାରୀ ଖସି ଯାଇଥିବା ଆଶଙ୍କା କରି ପୁଲିସ୍‌ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି।

ପ୍ରତିବର୍ଷ ଏଠାରେ ୩ ଦିନ ଧରି ‘ଗିଲରୟ ଗାର୍ଲିକ ଫେଷ୍ଟିଭାଲ’ ଅନୁଷ୍ଠିତ ହୋଇଥାଏ। ତେବେ ରବିବାର ଏହି କାର୍ଯ୍ୟକ୍ରମର ଶେଷ ଦିନ ଥିଲା। ଲୋକେ ଖାଇବାର ମଜା ନେଉଥିବା ବେଳେ ହଠାତ୍ ୨ ଜଣ ବନ୍ଧୁକଧାରୀ ପ୍ରବେଶ କାରି ଆଖିବୁଜା ଗୁଳିମାଡ଼ କରିଥିଲେ। ଗୁଳିକାଣ୍ଡ ଘଟିବା ବେଳେ ଏଠାରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ।