୩୦ ବର୍ଷ ଧରି ଦେଶର ସେବା କରିଥିବା ସେନାଧିକାରୀଙ୍କୁ ଏ କି ସମ୍ମାନ? ବାଂଲାଦେଶୀ କହି ପୋଲିସ୍ ରୁଜୁ କଲା ମାମଲା

ଗୌହାଟୀ: ଦୀର୍ଘ ୩୦ ବର୍ଷ ଧରି ନିଜ ମାତୃଭୂମିର ସେବା କରିଥିବା ଜଣେ ଅବସରପ୍ରାପ୍ତ ସେନାଧିକାରୀ ଏବେ ପଡ଼ିଛନ୍ତି ହରଡ଼ଘଣାରେ। ତାଙ୍କ ନାଁ ମହମ୍ମଦ ଆଜମଲ୍। ସେ ଆସାମର। ସେ ବେଆଇନ ଭାବରେ ଭାରତରେ ରହୁଥିବା ନେଇ ପୋଲିସ ତାଙ୍କ ନାଁରେ ଏକ ମାମଲା ରୁଜୁ କରିଛି। ଏହାସହିତ ସେ ବାଂଲାଦେଶର ନାଗରିକ ବୋଲି କୁହାଯାଉଛି। ଏହି ମାମଲାର ଶୁଣାଣି ଅକ୍ଟୋବର ୧୩ ତାରିଖରେ ହେବ।

ଗତ ତିନି ବର୍ଷ ତଳେ ମହମ୍ମଦ ଆଜମଲଙ୍କ ପତ୍ନୀଙ୍କ ବିରୋଧରେ ଏହି ସମାନ ଅଭିଯୋଗ ଅଣାଯାଇ ନୋଟିସ୍  ଜାରି କରାଯାଇଥିଲା। ହେଲେ ତଦନ୍ତ ପରେ ଏହା ଭୁଲ୍ ବୋଲି ଦର୍ଶାଯାଇଥିଲା।

ମହମ୍ମଦ ଏକ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଛନ୍ତି,“ଯଦି ମୁଁ ବାଂଲାଦେଶର ନାଗରିକ ତା’ହେଲେ ଭାରତୀୟ ସେନାରେ କେମିତି ଭର୍ତ୍ତି ହୋଇଥିଲି? ୩୦ ବର୍ଷ ଧରି ଦେଶର ସେବା କରିବା ପରେ ମୋତେ ଏହି ସମ୍ମାନ ମିଳିଲା। ମୋ ପତ୍ନୀଙ୍କୁ ମଧ୍ୟ ଏପରି ହଇରାଣ କରାଯାଇଥିଲା।”