ଆତଙ୍କୀ ହମଲା ପରେ ମାଲିରେ ୧୦ ଦିନିଆ ଜରୁରୀକାଳୀନ ସ୍ଥିତି ଜାରି

ବାମାକୋ: ଶୁକ୍ରବାର ଆତଙ୍କୀ ଆକ୍ରମଣ ପରେ ମାଲି ସରକାର ସାରା ଦେଶରେ ୧୦ ଦିନ ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଏହା ଆସନ୍ତାକାଲି ଠାରୁ ଆରମ୍ଭ ହେବ। ତା’ସହିତ ୩ ଦିନ ପାଇଁ ମୃତ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶୋକ ପାଳନ କରାଯିବ। ମାଲି ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ, ଗତକାଲି ଆଫ୍ରିକା ଦେଶ ମାଲିର ରାଜଧାନୀ ବାମାକୋର ରେଡିସନ୍ ବ୍ୟୁ ନାମକ ହୋଟେଲରେ ଆତଙ୍କୀମାନେ ଆକ୍ରମଣ କରି ୧୭୦ ଲୋକଙ୍କୁ ପଣବନ୍ଦୀ ରଖିଥିଲେ। ସୁରକ୍ଷାକର୍ମୀ ଓ ଆତଙ୍କୀ ମଧ୍ୟରେ ହୋଇଥିବା ସଂଘର୍ଷରେ ୨ ଆତଙ୍କୀ ସହ ପ୍ରାୟ ୨୭ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ପଣବନ୍ଦୀଙ୍କ ମଧ୍ୟରେ ୨୦ ଜଣ ଭାରତୀୟ ରହିଥିଲେ। ତେବେ ସେମାନେ ସମସ୍ତେ ସୁରକ୍ଷିତ ଅଛନ୍ତି।