ଅମିତାଭ୍ ଓ ପିସି ‘ଅତୁଲ୍ୟ ଭାରତ’ର ବ୍ରାଣ୍ଡ୍ ଆମ୍ୱାସଡର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ‘ଅତୁଲ୍ୟ ଭାରତ’ର ବ୍ରାଣ୍ଡ୍ ଆମ୍ୱାସଡର ନାମ ସ୍ଥିର କରିଛନ୍ତି। ବିଗ୍ ବି ଅମିତାଭ୍ ବଚ୍ଚନ ଓ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ସରକାର ବାଛିଛନ୍ତି। ଜାନୁଆରୀ ୨୬ ତାରିଖ ପରେ ଔପଚାରିକ ଭାବେ ସେମାନଙ୍କ ନାମ ଘୋଷଣା କରାଯିବ। ଏ ନେଇ ସରକାରଙ୍କ ପକ୍ଷରୁ ଉଭୟଙ୍କୁ ଚିଠି ମାଧ୍ୟରେ ଜଣାଇବାକୁ ପ୍ରସ୍ତୁତି ଚାଲିଛି।
୩ବର୍ଷ ପାଇଁ ଏମାନେ ‘ଅତୁଲ୍ୟ ଭାରତ’ର ବ୍ରାଣ୍ଡ୍ ଆମ୍ୱାସଡର ରହିବେ। ଏଥିପାଇଁ ଉଭୟ କୌଣସି ଅର୍ଥ ନେଉ ନାହାନ୍ତି।

ସୂଚନାଯୋଗ୍ୟ, ଅଭିନେତା ଅମୀର ଖାନ୍ ଗତବର୍ଷ ଅସହିଷ୍ଣୁତା ନେଇ ବିବାଦୀୟ ଏକ ବୟାନ ଦେଇଥିଲେ। ଅମୀରଙ୍କ ଏହି ବୟାନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଅସହିଷ୍ଣୁତା ନେଇ ଦେଇଥିବା ବୟାନ ଲାଗି ତାଙ୍କୁ କେନ୍ଦ୍ର ସରକାରଙ୍କର ‘ଅତୁଲ୍ୟ ଭାରତ’ କ୍ୟାମ୍ପେନରୁ ବିଦା ହେବାକୁ ପଡ଼ିଥିଲା। କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା କହିଥିଲେ ଯେ ‘ଅତିଥି ଦେବୋ ଭବଃ’ ନେଇ ମ୍ୟାକନ ୱାର୍ଲ୍ଡ ୱାଇଡ ସଂସ୍ଥା ସହ ସରକାରଙ୍କ ଚୁକ୍ତି ଅବଧି ଶେଷ ହୋଇଛି। ଏଥିରେ ଅମୀର ନିଯୁକ୍ତି ପାଇଥିଲେ। ତେଣୁ ଅମୀର ଏବେ ‘ଅତୁଲ୍ୟ ଭାରତ’ରୁ ବାଦ୍ ପଡ଼ିଛନ୍ତି ବୋଲି ସେ ସ୍ପଷ୍ଟ କରିଥିଲେ।