ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ଉପରେ ଫୋନରେ ବର୍ଷିଲେ ଟ୍ରମ୍ପ

ୱାସିଂଟନ୍‌: ଆମରିକା ରାଷ୍ଟ୍ରପତି ହେବା ପରଠାରୁ ବିବାଦରେ ରହିଥିବା ଟ୍ରମ୍ପ ପୁଣି ଥରେ ନିଜ ବ୍ୟବହାର ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ରାଷ୍ଟ୍ରପତି ହେବା ପରେ ଆମେରିକା ପରମ୍ପରା ଅନୁସାରେ ସେ ସବୁଦେଶର ରାଷ୍ଟ୍ର ମୁଖ୍ୟଙ୍କ ସହ ଫୋନରେ କଥା ହେଉଛନ୍ତି। ନିକଟରେ ଟ୍ରମ୍ପ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏମ୍‌. ଟର୍ଣ୍ଣବୁଲଙ୍କ ସହ ଫୋନରେ କଥା ହୋଇଥିଲେ। ହେଲେ ଏହି କଥାବାର୍ତ୍ତା ବେଳେ ଟ୍ରମ୍ପ ଟର୍ଣ୍ଣବୁଲଙ୍କୁ ବହୁତ ସମାଲୋଚନା କରିବା ସହ ତାଙ୍କୁ ଇଆଡୁ ସିଆଡୁ କହିଥିବା ଜଣାପଡିଛି। ହ୍ୱାଇଟ୍‌ ହାଉସ୍‌ର ଅଧିକାରୀଙ୍କ ନିକଟରୁ ମିଳିଥିବା ସୂଚନାକୁ ଆଧାର କରି ଆମରିକାର ବିଭିନ୍ନ ଖବରକାଗଜରେ ଏହି ତଥ୍ୟ ପ୍ରକାଶ ପାଇଛି।

ଏହି ଦୁଇ ରାଷ୍ଟ୍ର ମୁଖ୍ୟଙ୍କୁ ମଧ୍ୟରେ ଆଲୋଚନା ପାଇଁ ଏକ ଘଣ୍ଟା ସମୟ ଧାର୍ଯ୍ୟ ହୋଇଥିବା ବେଳେ ଟ୍ରମ୍ପ ମାତ୍ର ୨୫ ମିନିଟ୍‌ ପରେ ରାଗରେ ଫୋନ୍‌ କାଟି ଦେଇଥିଲେ।

ଖବର ମୁତାବକ ଅଷ୍ଟ୍ରେଲିଆର ଏକ ଶରାଣାର୍ଥୀ ଶିବିରରେ ଥିବା ୧,୨୫୦ ଜଣଙ୍କୁ ଆମେରିକା ନିଜ ଦେଶକୁ ଆସିବାକୁ ଅନୁମତି ଦେବାକୁ ପୂର୍ବରୁ ଆମେରିକା ଦେଇଥିବା ପ୍ରତିଶ୍ରୁତି କଥା ଟର୍ଣ୍ଣବୁଲ ଉଠାଇ ଥିଲେ। ଏହା ଶୁଣିବା ପରେ ଟ୍ରମ୍ପ ରାଗି ଯାଇ ଏବେ ପର୍ଯ୍ୟନ୍ତ ହୋଇଥିବା ଡିଲ୍‌ ମଧ୍ୟରୁ ଏହା ସବୁଠାରୁ ଖରାପ୍‌ ଡିଲ୍‌ ବୋଲି କହିଥିଲେ।

ଏହାସହ ଟ୍ରମ୍ପ ଟର୍ଣ୍ଣବୁଲଙ୍କୁ କହିଥିଲେ,“ତୁମ ପୂର୍ବରୁ ମୁଁ ୪ଜଣ ରାଷ୍ଟ୍ର ମୁଖ୍ୟଙ୍କ ସହ ଫୋନ୍‌ରେ କଥା ହୋଇଛି। ଋଷ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ମଧ୍ୟ କଥା ହୋଇଛି। କିନ୍ତୁ ସେମାନଙ୍କ ଅପେକ୍ଷା ଆପଣଙ୍କ ସହ ଆଲୋଚନା ସବୁଠାରୁ ଖରାପ୍‌ ରହିଲା।”