୭ ବର୍ଷର ନାବାଳିକାକୁ ଦୁଷ୍କର୍ମ କରି ଅଟୋ ଚାଳକ ଗିରଫ

ଗୁଡଗାଁଓ: ଗୁଡଗାଁଓରେ ଏକ ଅଟୋ ଚାଳକ ଜଣେ ୭ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନାବାଳିକାର ଅବସ୍ଥା ଗୁରୁତର ଥିବାରୁ ତାକୁ ଦିଲ୍ଲୀର ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। ପୀଡିତାଙ୍କ କହିବା ଅନୁସାରେ ପୋଲିସ ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରି ଘଟଣାର ୨୦ ଘଣ୍ଟା ମଧ୍ୟରେ ଅଭିଯୁକ୍ତ କମଲ ସିଂହ (୨୦)କୁ ଗିରଫ କରିଛି।

ଅଭିଯୋଗ ଅନୁସାରେ କମଲ ପୀଡିତା ଓ ତାର ୧୦ ବର୍ଷର ଭାଇକୁ ପ୍ରଲୋଭନ ଦେଖାଇ ଡୁଡାଁହେଡା ଅଞ୍ଚଳକୁ ନେଇ ଯାଇଥିଲା। ଅଧାବାଟରେ ପୁଅଟିକୁ ଛାଡି ଏକ ନିଛାଟିଆ ସ୍ଥାନକୁ ପୀଡିତାକୁ ନେଇ କମଲ ଦୁଷ୍କର୍ମ କରିଥିଲା। ପରେ ଭାଇ, ଭଉଣୀଙ୍କୁ ଘର ପାଖରେ ଛାଡି ଚାଲି ଯାଇଥିଲା। ଘରକୁ ଫେରିବା ପରେ ଝିଅଟିର ଅବସ୍ଥା ଗୁରୁତର ହୋଇ ଯାଇଥିଲା। ସେ ଘରେ ସବୁ କଥା କହିବା ପରେ ପରିବାର ଲୋକେ ତାକୁ ମେଡିକାଲ ନେବା ସହ ପୋଲିସକୁ ସୂଚନା ଦେଇଥିଲେ। ଦୁଇ ପିଲାଙ୍କ ବୟାନକୁ ଆଧାର କରି ପୋଲିସ୍‌ ଅଞ୍ଚଳର ସିସିଟିଭି ଫୁଟେଜ ସେମାନଙ୍କୁ ଦେଖାଇଥିଲା। ଏଥିରେ ପିଲା ଦୁଇଜଣ ଅଭିଯୁକ୍ତ କମଲକୁ ଚିହ୍ନଟ କରିଥିଲେ। ପରେ ପୋଲିସ୍‌ କମଲର ଘରେ ଚଢଉ କରି ତାକୁ ଗିରଫ କରିଥିଲା।