“ପିଲାଙ୍କ ରିଅଲିଟି ଶୋ’ରେ ସଂଯମ ରକ୍ଷା କରନ୍ତୁ ଟିଭି ଚ୍ୟାନେଲ”

ନୂଆଦିଲ୍ଲୀ: ଦିନକୁ ଦିନ ରିଅଲିଟି ଶୋ’ର ଡିମାଣ୍ଡ ବଢ଼ିବାରେ ଲାଗିଛି। ତେବେ କୋମଳମତି ଛୋଟ ପିଲାଙ୍କୁ ନେଇ ଏଭଳି ରିଅଲିଟି ଶୋ’ ମଧ୍ୟ ଆୟୋଜନ ହେଉଥିଲାବେଳେ ସେମାନଙ୍କ ପୋଷାକ ଏବଂ ଅଙ୍ଗଭଙ୍ଗୀକୁ ନେଇ ପୂର୍ବରୁ ପ୍ରଶ୍ନ ଉଠିଆସିଛି। ଏଥିପ୍ରତି ଟିଭି ଚ୍ୟାନେଲମାନେ ଏବଂ ଅଭିଭାବକମାନେ ଯତ୍ନବାନ ହୁଅନ୍ତୁ ବୋଲି ପୂର୍ବରୁ ପରାମର୍ଶ ମିଳିଥିବାବେଳେ ଏବେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ମଧ୍ୟ ଏହି ପ୍ରସଙ୍ଗରେ ସ୍ୟାଟେଲାଇଟ୍‌ ଟିଭି ଚ୍ୟାନେଲଙ୍କୁ ଏକ ଆଡଭାଇଜରୀ ଜାରି କରିଛି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଅନେକ ନୃତ୍ୟ ଆଧାରିତ ରିଅଲିଟି ଶୋ’ମାନଙ୍କରେ ଛୋଟପିଲାମାନେ ସେହିସବୁ ଭଙ୍ଗୀ ପ୍ରଦର୍ଶନ କରୁଛନ୍ତି ଯାହାକି ଚଳଚ୍ଚିତ୍ର ଓ ଅନ୍ୟାନ୍ୟ ଲୋକପ୍ରିୟ ମନୋରଞ୍ଜନ ମାଧ୍ୟମଗୁଡ଼ିକରେ ବଡ଼ କଳାକାରମାନେ କରିଥାନ୍ତି। ସରକାରଙ୍କ ପକ୍ଷରୁ କୁହାଯାଇଛି, ଏଗୁଡ଼ିକ ଅତ୍ୟନ୍ତ ଉତ୍ତେଜକ ଏବଂ ଛୋଟପିଲାଙ୍କ ବୟସ ଅନୁରୂପ ନୁହେଁ। ଏହା ଛୋଟ ବୟସରେ ପିଲାମାନଙ୍କ ଉପରେ କୁପ୍ରଭାବ ପକାଇବାର ସମ୍ଭାବନା ରହିଛି।

ଏହିଁ ଆଡଭାଇଜାରୀରେ କୁହାଯାଇଛି, ସମସ୍ତ ଘରୋଇ ସ୍ୟାଟେଲାଇଟ୍‌ ଟିଭି ଚ୍ୟାନେଲଗୁଡ଼ିକ କେବୁଲ ଟେଲିଭିଜନ୍‌ ନେଟ୍‌ୱର୍କ ଆଇନ, ୧୯୯୫ ଅନ୍ତର୍ଗତ କାର୍ଯ୍ୟକ୍ରମ ଏବଂ ବିଜ୍ଞାପନ କୋଡ୍‌ରେ ଥିବା ବ୍ୟବସ୍ଥା ପାଳନ କରିବେ। ଏହି ନିୟମ ଅନୁଯାୟୀ ପିଲାମାନଙ୍କୁ କଳଙ୍କିତ କରୁଥିବା କୌଣସି ଦୃଶ୍ୟ ଟେଲିଭିଜନରେ ପ୍ରସାରିତ ହେବା ଉଚିତ ନୁହେଁ । ଆହୁରି ମଧ୍ୟ ପିଲାମାନଙ୍କ ପାଇଁ ପ୍ରସାରିତ କାର୍ଯ୍ୟକ୍ରମରେ କୌଣସି ଅଶାଳୀନ ଭାଷା କିମ୍ବା ହିଂସାତ୍ମକ ଦୃଶ୍ୟ ପ୍ରଦର୍ଶିତ ହେବା ଉଚିତ ନୁହେଁ ।

ଏହି ସବୁ କାରଣକୁ ଉପଲବ୍ଧି କରି ନୃତ୍ୟ ଆଧାରିତ ରିଅଲିଟି ଶୋ’ କିମ୍ବା ସେହିପରି କାର୍ଯ୍ୟକ୍ରମ ମାନଙ୍କରେ ପିଲାମାନଙ୍କୁ ନେଇ କୌଣସି ଉତ୍ତେଜକ, ଅଶାଳୀନ କିମ୍ବା ଅନୁଚିତ ଦୃଶ୍ୟ ପ୍ରଦର୍ଶିତ ନକରିବା ପାଇଁ ମନ୍ତ୍ରଣାଳୟ ସମସ୍ତ ଘରୋଇ ଟେଲିଭିଜନ ଚ୍ୟାନେଲମାନଙ୍କୁ ପରାମର୍ଶ ଦେଇଛି। ଏହିପରି ରିଅଲିଟି ଶୋ’ ଏବଂ କାର୍ଯ୍ୟକ୍ରମ ମାନଙ୍କରେ ସର୍ବାଧିକ ସଂଯମ, ସମ୍ବେଦନଶୀଳତା ଓ ସତର୍କତା ପ୍ରଦର୍ଶନ ପାଇଁ ମଧ୍ୟ ଚ୍ୟାନେଲମାନଙ୍କୁ କୁହାଯାଇଛି।