କେନ୍ଦ୍ର ସରକାର, ଜେଟଲୀ ଓ ସିବିଆଇକୁ କୋର୍ଟକୁ ଟାଣିବେ ଆଜାଦ୍

ନୂଆଦିଲ୍ଲୀ: ବିଜେପିରୁ ନିଲମ୍ବିତ ସାଂସଦ କୀର୍ତ୍ତି ଆଜାଦ୍ କେନ୍ଦ୍ର ସରକାର, କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ଓ ସିବିଆଇକୁ କୋର୍ଟକୁ ଟାଣିବେ। ଦିଲ୍ଲୀ ଓ ଡିଷ୍ଟ୍ରିକ କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ଦୁର୍ନୀତି ନେଇ ଆଜାଦ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଉପରକୁ ଅଙ୍ଗୁଳି ଉଠାଇବାରୁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଏହା ସତ୍ତ୍ୱେ ସେ ବାରମ୍ବାର ଦାବି କରି ଆସୁଛନ୍ତି ଯେ ଜେଟଲୀ କାର୍ଯ୍ୟକାଳ ସମୟରେ ଡିଡିସିଏ ବ୍ୟାପକ ଦୁର୍ନୀତି ହୋଇଥିଲା ଓ ସେ ବି ଏଥିରେ ସଂପୃକ୍ତ ଥିଲେ। ଆଜି ସେ ସିବିଆଇକୁ ପିଞ୍ଜରା ଭିତରର ଶାରୀ ଭାବେ ବର୍ଣ୍ଣନା କରିଛନ୍ତି।

ଗୁରୁବାର ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଜାଦ ଏକ ଚିଠି ଦେଖାଇଥିଲେ। ଏହି ଚିଠିଟିକୁ ସେ ଗତବର୍ଷ ସେପ୍ଟେମ୍ବର ମାସରେ ଜେଟଲୀଙ୍କ ନିକଟକୁ ଲେଖିଥିଲେ। ଏଥିରେ ସେ ଜେଟଲୀଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ ଯେ ଡିଡିସିଏ ଓ ହକି ଇଣ୍ଡିଆକୁ ଆପଣ ଅଳିଆ କରି ଦେଲେଣି। ସେହି ଦିନ ଆଉ ଦୂର ନୁହେଁ ଯେତେବେଳେ ଆପଣଙ୍କୁ ଏଥିପାଇଁ ଜବାବ ଦେବାକୁ ପଡ଼ିବ। ଆପଣଙ୍କ ନେତୃତ୍ୱ ସମୟରେ ଯେତିକି ଲୁଟ୍ ହୋଇଛି ତାହାର ଜବାବ ଆପଣଙ୍କୁ ଦେବାକୁ ପଡ଼ିବ। ଆପଣଙ୍କ ନେତୃତ୍ୱକାଳରେ କ୍ରିକେଟ ଅବସ୍ଥା ସଂକଟାପନ୍ନ ହୋଇଛି। କେବଳ ଆପଣଙ୍କ ପାଖ ଲୋକମାନଙ୍କ ସମୃଦ୍ଧି ହୋଇଛି।

ଆଜାଦ ଦାବି କରିଛନ୍ତି ଯେ ବିଜେପି ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ନେବ। କାରଣ ସେ ଦଳ ଅବା ସରକାରଙ୍କ ଉପରେ ଆକ୍ରମଣ କରି ନାହାନ୍ତି।

ଅନ୍ୟପକ୍ଷରେ ଡିଡିସିଏ ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କରି ଆସୁଛନ୍ତି ଜେଟଲୀ। ଏନେଇ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାଁରେ ମାନହାନୀ ମକଦ୍ଦମା ମଧ୍ୟ କରିଛନ୍ତି।