ବାବାଙ୍କର ବୁଡ଼ିଗଲା ୮୦୦ କୋଟି ଟଙ୍କାର ବେପାର:୧୪ ଟି କମ୍ପାନୀରେ ତାଲା

ଚଣ୍ଡିଗଡ଼: ମହିଳା ଭକ୍ତଙ୍କୁ ଦୁଷ୍କର୍ମ ମାମଲାରେ ଡେରା ସଚ୍ଚା ସୌଦାର ମୁଖ୍ୟ ରାମ ରହିମ ଏବେ ୨୦ ବର୍ଷ ଜେଲ୍ ଦଣ୍ଡ ଭୋଗୁଛନ୍ତି। ରାମରହିମ ଦୋଷୀ ସାବ୍ୟସ୍ତ ହେବାର ଦଶ ଦିନ ମଧ୍ୟରେ ଡେରାର ପ୍ରାୟ ୮୦୦ କୋଟି ଟଙ୍କାର ବ୍ୟବସାୟ ବୁଡ଼ିଯାଇଛି।

ସୀର୍ସାରେ ଥିବା ଡେରାର ୧୪ ଟି କମ୍ପାନୀ, ୮ଟି ସ୍କୁଲ-କଲେଜ, ପଞ୍ଚ ତାରକା ହୋଟେଲ, ରେସ୍ତରାଁ ଓ ସୁପର ମାର୍କେଟ୍‌ର ୫୨ଟିଦୋକାନରେ ତାଲା ପଡ଼ି ଯାଇଛି। ଏହାସହିତ ଅନେକ ବ୍ୟାଙ୍କ ଖାତା ସିଲ୍‌ କରି ଦିଆଯାଇଛି। ଫଳରେ ରାମରହିମଙ୍କ ବ୍ୟବସାୟ ସହିତ ଜଡ଼ିତ ଥିବା ୮ ହଜାର ଲୋକ ବରୋଜଗାର ହୋଇଯାଇଛନ୍ତି। କିଛି ଲୋକ ଭୟରେ ମଧ୍ୟ ସିର୍ସା ଛାଡି ପଳାଇ ଯାଇଛନ୍ତି।  ସାରା ଦେଶରେ ପ୍ରାୟ ୪୦୦ ଡିଲର୍ସ ଏମ୍‌ଏସ୍‌ଜି ରିସୋର୍ଟ ବନ୍ଦ କରି ଦେଇଛନ୍ତି। ରାମ ରହିମ ୨୦୦୮ରୁ ଇତି ମଧ୍ୟରେ ୧୪ଟି କମ୍ପାନୀ ଲଞ୍ଚ କରିଥିଲେ। ୫ବର୍ଷରେ ୫ କୋଟି ଟଙ୍କା ରୋଜଗାର ରାମରହିମଙ୍କ ଟାର୍ଗେଟ୍‌ ଥିଲା।

ଏବେ ଡେରାର ସମସ୍ତ ସମ୍ପତ୍ତି ଆଟାଚ୍‌ କରିବା ପାଇଁ  ପ୍ରସ୍ତୁତି ଆରମ୍ଭ ହୋଇଛି। ରାମରହିମଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ପରେ ଯେଉଁ ହିଂସା ସୃଷ୍ଟି ହୋଇଥିଲା ଏହାର ଭରଣ ପୋଷଣ ପାଇଁ ହରିୟାଣା-ପଞ୍ଚାବ ସରକାର ଅନୁଧ୍ୟାନ କରୁଛନ୍ତି। ଡେରା କମିଟିର ଚେୟାରମ୍ୟାନ୍ ବିପସାନା ଇନ୍‌ସା କହିଛନ୍ତି,“ ଦଶ ଦିନ ହେବ ସୀର୍ସାରେ ଡେରା ଆର୍ଥିକ କାରବାର ବନ୍ଦ ହୋଇଯାଇଛି। ଡେରା ସହିତ ଜଡ଼ିତ କମ୍ପାନୀର ବ୍ୟାଙ୍କିଙ୍ଗ୍ ପକ୍ରିୟା ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିଲ୍‌ ହୋଇଯାଇଛି।