ଖେଳୁ ଖେଳୁ କୁନି ଝିଅ ଖାଇଦେଲା କାନଫୁଲ, ଆଉ ତା’ପରେ…

ମୁମ୍ବାଇ: ବର୍ଷକର ଝିଅ। ଖେଳୁ  ଖେଳୁ ଖେଳୁ ଖାଇଦେଲା ତଳେ ପଡିଥିବା କାନଫୁଲ। ହେଲେ ସୌଭାଗ୍ୟବଶତଃ କୁନି ପିଲାଟି ଏବେ ବିପଦମୁକ୍ତ ଅଛି। ବହୁକସରତ ପରେ ଘଟଣାର ୮ ଦିନ ପରେ ଡାକ୍ତର ସଫଳତାର ସହ ସେହି କାନଫୁଲକୁ ଡାକ୍ତରମାନେ ବାହାର କରିବାରେ ସଫଳ ହୋଇଛନ୍ତି। ମୁମ୍ବାଇରେ ଘଟିଛି ଏମିତି ଘଟଣା।

ଝିଅଟିର ନାମ ଖୁସି ସୋନୀ । କାନଫୁଲଟି ଝିଅଟିର ଶ୍ୱାସନଳୀରେ ଅଟକି ଯାଇଥିଲା । ଏହା ଯୋଗୁଁ ତଣ୍ଟିରେ କଫ ଜମିବା ସହିତ ଇନ୍‌ଫେକ୍‌ସନ୍‌ ହୋଇଯାଇଥିଲା । ଏହି କାରଣରୁ ଜ୍ୱର ଲାଗି ରହିବା ସହ ନିଶ୍ୱାସ ନେବାରେ ମଧ୍ୟ ଝିଅଟିକୁ କଷ୍ଟ ହେଉଥିଲା ।ଝିଅର ଏପରି ଅବସ୍ଥା ଦେଖି ପରିବାର ଲୋକ ତାକୁ ଲୋକମାନ୍ୟ ତିଲକ ୟୁନିଭରସିଟି ଜେନେରାଲ ହସ୍ପିଟାଲକୁ ନେଇ ଏକ୍ସ-ରେ କରିଥିଲେ । ପ୍ରଥମେ ଏକ୍ସ-ରେ କରିବା ପରେ ଗଳାରେ କିଛି ନ ଥିବା ଡାକ୍ତର କହିଥିଲେ। ଅନ୍ୟପଟେ ଝିଅର ପ୍ରଥମ ଜନ୍ମଦିନ ପାଳନ କରିବା ପାଇଁ ଯୋଜନା କରିଥିବା ବାପାମା’ଙ୍କ ଚିନ୍ତା ବଢିବାରେ ଲାଗିଥିଲା ।

ଛୁଆଟିକୁ ତିନିଦିନ ଧରି ଭେଣ୍ଟିଲେଟରରେ ରଖାଗଲା । ମାତ୍ର ଶରୀର ଅଧିକ ଖରାପ ହେବାରୁ ପରିବାର ଲୋକ ମୁମ୍ବାଇର ବିଜେ ୱାଡିୟା ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ । ସେଠାରେ ତାକୁ ତିନିଦିନ ଧରି ଲାଇଫ୍‌ ସପୋର୍ଟ ସିଷ୍ଟମ୍‌ରେ ରଖାଯାଇଥିଲା । ପୁଣି ଥରେ ଏକ୍ସ-ରେ କରିବା ପରେ ଜଣା ପଡିଥିଲା ଯେ, ଝିଅଟିର ଶ୍ୱାସନଳୀରେ କାନଫୁଲ ଫସି ରହିଛି ।

ଡାକ୍ତର ବିନା ସର୍ଜରୀରେ ବ୍ରୋନ୍‌ଚୋସ୍କୋପି ଟେକ୍‌ନିକ୍‌ରେ ଝିଅଟିର ଶ୍ୱାସନଳୀରୁ କାନଫୁଲକୁ ବାହାର କରିଥିଲେ । ୨ଇଞ୍ଚର ଏହି କାନଫୁଲ ୮ଦିନ ଧରି ଶ୍ୱାସନଳୀରେ ରହିବା ପରେ ବିଜେ ୱାଡିୟା ହସ୍ପିଟାଲ୍‌ର ଡାକ୍ତର ଏହାକୁ ବାହାର କରିଥିଲେ । ଖୁସି ଏବେ ବିପଦମୁକ୍ତ ଅଛି ବୋଲି ଡାକ୍ତର କହିଛନ୍ତି । ଖୁସିର ପ୍ରଥମ ଜନ୍ମଦିନକୁ ପରିବାର ଲୋକ ହସ୍ପିଟାଲ୍‌ରେ ହିଁ ପାଳନ କରିଛନ୍ତି ।