ପୁଣି ଜନ୍ମ ହେଲେ କି ଭଗବାନ କୃଷ୍ଣ!

ଗୁଆହାଟୀ: ଶୀର୍ଷକ ପଢ଼ି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେଉଥିବେ। କଳିଯୁଗରେ ଭଗବାନ ଶ୍ରୀକୃଷ୍ଣ କ’ଣ ପୁଣି ଜନ୍ମ ନେଲେ କି? କଥାଟା ସେୟା ନୁହେଁ।

ଆସାମରେ ଏବେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଲକ୍ଷ ଲକ୍ଷ ଲୋକ ବନ୍ୟା ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପାଣି ଘେରରେ ଥିବା ଲୋକଙ୍କୁ ଡଙ୍ଗା ଯୋଗେ ସୁରକ୍ଷିତ ସ୍ଥାନକୁ ନିଆଯାଉଛି।

ତେବେ ଲୋକଙ୍କୁ ଉଦ୍ଧାର କରାଯାଉଥିବା ବେଳେ ଜଣେ ୨୪ ବର୍ଷୀୟ ମହିଳା ଡଙ୍ଗାରେ ଶିଶୁପୁତ୍ର ପ୍ରସବ କରିଛନ୍ତି। ତା’ ନାଁ କ୍ରୀଷ୍ଣା ରଖାଯାଇଛି। ଭଗବାନ କୃଷ୍ଣ ମଧ୍ୟ ମୂଷଳ ଧାରାରେ ବର୍ଷା ସାଙ୍ଗକୁ ଭୟଙ୍କର ବନ୍ୟା ହୋଇଥିବା ସମୟରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଏହି ପୁତ୍ର ସନ୍ତାନର ନାଁ ପରିବାର ଲୋକେ କ୍ରୀଷ୍ଣା ରଖିଛନ୍ତି।

ଅଫୋଲା ଗାଁର ରୁମି ପଠାରୀ ସୋମବାର ସକାଳୁ ପ୍ରସବ ଯନ୍ତ୍ରଣା ଅନୁଭବ କରିଥିଲେ। ରାସ୍ତାଘାଟ ବୁଡ଼ିଯାଇ ଥିବାରୁ ତାଙ୍କୁ ହସ୍ପିଟାଲ ନେବାକୁ ଏକ ଡଙ୍ଗା ଯୋଗାଡ଼ କରାଯାଇଥିଲା। ତେବେ ସେ ହସ୍ପିଟାଲ ଯିବା ବାଟରେ ହିଁ ଡଙ୍ଗା ଉପରେ ପ୍ରସବ କରିଥିଲେ।

ତାଙ୍କ ସହ ଏହି ସମୟରେ ଦୁଇ ଜଣ ଆଶାକର୍ମୀ ରହିଥିଲେ। ଏହାପରେ ପୁତ୍ର ସନ୍ତାନ ଓ ରୁମିଙ୍କୁ ହସ୍ପିଟାଲ ନିଆଯାଇଥିଲା।