ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦାଙ୍କ ବିରୋଧରେ ଦେଶଦ୍ରୋହ ମାମଲା

ଢ଼ାକା: ୧୯୭୧ରେ ମୁକ୍ତି ସଂଗ୍ରାମରେ ସହିଦଙ୍କ ସଂଖ୍ୟାକୁ ନେଇ ପ୍ରଶ୍ନ ଉଠାଇ ଥିବା ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ୍ ଖାଲିଦା ଜିୟାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରାଯାଇଛି। ଜଣେ ଆଇନଜୀବୀଙ୍କ କହିବାନୁସାରେ, ସୋମବାର ତାଙ୍କୁ ଗିରଫ କରାଯିବା ନେଇ ମେଟ୍ରୋପଲିଟିଆନ୍ ମାଜିଷ୍ଟ୍ରେଟରେ ଅପିଲ କରାଯାଇ ମାମଲା ରୁଜୁ ହୋଇଥିଲା। ତାଙ୍କ ଗିରଫ ଲାଗି ୱାରେଣ୍ଟ ଜାରି କରାଯିବାକୁ ହୋଇଥିବା ଅପିଲ ଉପରେ ପରେ ଶୁଣାଣି କରାଯିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ଗୃହ ମନ୍ତ୍ରଣାଳୟ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବା ପାଇଁ ଅନୁମତି ଦେଇଥିଲେ। ଏ ନେଇ ଆଜି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୁପ୍ରିମକୋର୍ଟଙ୍କ ଅଭିବକ୍ତା ମୁମତାଜଉଦ୍ଦିନ୍ ଅହମ୍ମଦ ମେହଦି ଡିସେମ୍ବର ୨୭ରେ ବାଂଲାଦେଶ ଦଣ୍ଡ ବିଧାନ ଧାରା ୧୨୩ (ଏ) ଅନୁଯାୟୀ ଖାଲିଦାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ କରିବାକୁ କହିଥିଲେ। ମାଜିଷ୍ଟ୍ରେଟ ପୋଲିସକୁ ଏହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେବା ସହ ଅଭିଯୋଗକାରୀଙ୍କୁ ମାମଲା ରୁଜୁ ଲାଗି ସରକାରଙ୍କ ଅନୁମତି ଆଣିବାକୁ କହିଥିଲେ। ବାଂଲାଦେଶ ଆଇନ ଅନୁସାରେ ମାମଲା ରୁଜୁ ପାଇଁ ସରକାରଙ୍କ ଅନୁମତି ଆଣିବା ଅପରିହାର୍ଯ୍ୟ ଥିଲା।

ଗତବର୍ଷ ଡିସେମ୍ୱର ୨୧ରେ ଖାଲିଦା ୧୯୭୧ ମୁକ୍ତି ସଂଗ୍ରାମରେ ସହିଦଙ୍କ ସଂଖ୍ୟା ଉପରେ ଆଶଙ୍କା ପ୍ରକାଶ କରିଥିଲେ। ସେ କହିଥିଲେ ‘ମୁକ୍ତି ସଂଗ୍ରାମରେ କେତେ ଲୋକ ସହିଦ ହୋଇଥିଲେ ତାହା ବିବାଦରେ ରହିଛି। ଏହି ବିବାଦକୁ ନେଇ ବହୁ କାଗଜପତ୍ର ଓ ବହି ରହିଛି’। ବିଏନପି କଟ୍ଟରପନ୍ଥୀଜାତ-ଏ-ଇସଲାମ ଖାଲିଦାଙ୍କ ମୁଖ୍ୟ ସହଯୋଗୀ ଅଛି। ଜମାତ ପାକିସ୍ତାନ ଓ ବାଂଲାଦେଶ ବିଭାଜନକୁ ବିରୋଧ କରିଥିଲେ। ଶାସନ ଗାଦିରେ ଥିବେ ଅୱାମୀ ଲିଗ, ମୁକ୍ତି ସଂଗ୍ରାମରେ ସାମିଲ ହୋଇଥିବା ଓ ସହିଦଙ୍କ ପରିବାରଙ୍କ ପକ୍ଷରୁ ଖାଲିଦାଙ୍କ ଏପରି ଟିପ୍ପଣୀ ଉପରେ ଆପତ୍ତି ଉଠାଯାଇଥିଲା। ଏପରି କି କିଛି ତାଙ୍କୁ ପାକିସ୍ତାନର ଏଜେଣ୍ଟ ବୋଲି ମଧ୍ୟ କହିଥିଲେ।