ବାଲ୍ୟବିବାହ ରୋକିବାରେ ବାଂଲାଦେଶ ସରକାରଙ୍କ ପଦକ୍ଷେପ ସନ୍ତୋଷଜନକ ନୁହେଁ

ଢାକା: ବାଲ୍ୟବିବାହ ରୋକିବାରେ ବାଂଲାଦେଶ ସରକାରଙ୍କ ପଦକ୍ଷେପ ସନ୍ତୋଷଜନକ ନୁହେଁ ବୋଲି ‘ହ୍ୟୁମାନ୍ ରାଇଟସ୍ ୱାଚ୍’ ସଂଗଠନ ପକ୍ଷରୁ କୁହାଯାଇଛି। ବାଲ୍ୟ ବିବାହକୁ ରୋକିବାକୁ ବାଂଲାଦେଶ ସରକାରଙ୍କୁ ଆହୁରି ପର୍ଯ୍ୟାପ୍ତ ପଦଷେପ ନେବାକୁ ପଡ଼ିବ। ଖାଲି ପ୍ରତିଶ୍ରୁତି ଦେଇ ଦେଲେ କିଛି ହେବ ନାହିଁ। ପୁଣି ବାଲ୍ୟବିବାହକୁ ରୋକିବା ପାଇଁ ବାଂଲାଦେଶ ସରକାର ଯେଉଁ ପଦକ୍ଷେପ ଗୁଡିକ ନେଉଛନ୍ତି ସେଗୁଡିକ ଠିକ୍ ନୁହେଁ। ୨୦୧୪ ଜୁଲାଇରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା କହିଥିଲେ ଯେ ୨୦୪୧ ସୁଦ୍ଧା ଦେଶରୁ ବାଲ୍ୟବିବାହ ପ୍ରଥାକୁ ପୂରାପୂରି ଲୋପ କରିଦିଆଯିବ। କିନ୍ତୁ ଏହା ପରେ ସେ ଯେଉଁ ପଦକ୍ଷେପଟି ନେଲେ ତାହା ଆଶ୍ଚର୍ଯ୍ୟଜନକ । ଝିଅମାନଙ୍କ ବିବାହ ବୟସକୁ ୧୮ରୁ ୧୬ ବର୍ଷକୁ କମାଇ ଦେଲେ। ଆଉ ଏହା ବାଲ୍ୟ ବିବାହ ରୋକିବା ନେଇ ତାଙ୍କର ପ୍ରତିଶ୍ରୁତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ଯେ ୧୫ ବର୍ଷରୁ କମ୍ ବୟସର ଝିଅ ବିଶ୍ୱରେ ସବୁଠାରୁ ଅଧିକ ବାଂଲାଦେଶରେ ବିବାହ କରିଥା’ନ୍ତି। ୟୁନିସେଫର ରିପୋର୍ଟ ଅନୁସାରେ ବାଂଲାଦେଶରେ ୨୯ ପ୍ରତିଶତ ଝିଅଙ୍କର ବିବାହ ୧୫ ବର୍ଷରୁ କମ ବୟସରେ ହୋଇଥାଏ। ସେହିପରି ୨ ପ୍ରତିଶତ ଝିଅଙ୍କର ବିବାହ ୧୧ ବର୍ଷରୁ କମ୍ ବିୟସରେ ହୋଇଥାଏ।