ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଡିଗ୍ରୀ ଗ୍ରହଣ କରିବେନି ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ୍ ଡିଗ୍ରୀ ଗ୍ରହଣ କରିବେ ନାହିଁ। ସେ ନିଜେ ଏହି ଡିଗ୍ରୀ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଏଭଳି କୌଣସି ଡିଗ୍ରୀ ଗ୍ରହଣ ନ କରିବାକୁ ମୋଦି ପୂର୍ବରୁ ନିଷ୍ପତ୍ତି କରିଥିବା କୁହାଯାଉଛି।

ଫେବୃଆରୀ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଶହେତମ ଦୀକ୍ଷାନ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରୀୟ ମାନବ ସମ୍ବଳ ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏହି ସମାରୋହରେ ଉପସ୍ଥିତ ରହିବେ।

ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ମୁଖପାତ୍ର ରାଜେଶ ସିଂହ କହିଛନ୍ତି ଯେ ଫେବୃଆରୀ ୧୧ ତାରିଖରେ ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ପ୍ରଧାନମନ୍ତ୍ରୀ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିବା ପାଇଁ। ତେବେ ଏନେଇ ତାଙ୍କର ମତାମତ ଲୋଡ଼ା ଯାଇଥିଲା। ସେ ବିନମ୍ରତାର ସହିତ ଏହି ଉପାଧି ଗ୍ରହଣ କରିବାକୁ ମନା କରି ଦେଇଥିଲେ।

ତେବେ ଡକ୍ଟର ଡିଗ୍ରୀ ଗ୍ରହଣ କରିବାକୁ ମୋଦି ମନା କରିବାରେ ଏହା ପ୍ରଥମ ଘଟଣା ନୁହେଁ। ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ଅନେକ ଡକ୍ଟରେଟ୍ ଡିଗ୍ରୀ ଗ୍ରହଣ କରିବାକୁ ମନା କରି ଦେଇଥିଲେ। ଆମେରିକାର ଲୁଇସିୟାନ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟରେଟ୍ ଡିଗ୍ରୀ ପ୍ରଦାନ କରିବାକୁ ଚାହିଁଥିଲା। କିନ୍ତୁ ମୋଦି ମନା କରିଥିଲେ। ତାଙ୍କର ମତ ହେଉଛି ସେ ଡକ୍ଟର ଡିଗ୍ରୀ ଲାଭ କଲା କୌଣସି କୋର୍ସ କରି ନାହାନ୍ତି।