ବାଂଲାଦେଶ, ଆଫଗାନିସ୍ତାନ ଓ ଭୁଟାନ ବି ସାର୍କ ଶିଖର ସମ୍ମିଳନୀରେ ଯୋଗଦେବେ ନାହିଁ

ନୂଆଦିଲ୍ଲୀ: ଉରୀ ଆକ୍ରମଣ ପରିପ୍ରେକ୍ଷୀରେ ଇସଲାମାବାଦ ଠାରେ ଆସନ୍ତା ନଭେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ସାର୍କ ଶିଖର ସମ୍ମିଳନୀରେ ଭାରତ ଯୋଗ ନ ଦେବାର ନିଷ୍ପତ୍ତି ନେଇଛି। ଭାରତର ଏପରି ନିଷ୍ପତ୍ତିକୁ ପଡ଼ୋଶୀ ଦେଶ ବାଂଲାଦେଶ, ଆଫଗାନିସ୍ତାନ ଓ ଭୁଟାନ ନିଜର ସହମତି ଜଣାଇଛନ୍ତି। ଏହି ଦେଶ ଗୁଡ଼ିକ ଶାର୍କ ଶିଖର ସମ୍ମିଳନୀରେ ଯୋଗ ନଦେବାକୁ ନିଷ୍ପତ୍ତି ନେଇଛନ୍ତି।

ବାଂଲାଦେଶ କହିଛି,“ବାଂଲାଦେଶର ଆଭ୍ୟନ୍ତରୀଣ ମାମଲାରେ ଏକ ଦେଶ ଅତ୍ୟଧିକ ହସ୍ତକ୍ଷେପ କରୁଥିବା ଯୋଗୁଁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଫଳରେ ୨୦୧୬ ନଭେମ୍ବରରେ ଇସଲାମାବାଦରେ ୧୯ତମ ସାର୍କ ଶିଖର ସମ୍ମିଳନୀର ସଫଳ ଆୟୋଜନ ଅସମ୍ଭବ।”

ଭାରତର ଏହି ପଡୋଶୀ ଦେଶ ଆହୁରି କହିଛି,“ସାର୍କ ଗଠନର ପ୍ରାରମ୍ଭିକ ପର୍ଯ୍ୟାୟରୁ ବାଂଲାଦେଶ ଏହାର ସଦସ୍ୟ ରହିଛି। କିନ୍ତୁ ବର୍ତ୍ତମାନ ଆମେ ବିଚାର କରୁଛୁ ଯେ ଅଧିକ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣରେ ସାର୍କର ମୂଳ ଲକ୍ଷ୍ୟ ସଫଳ ହେବ। ଏହି ବିଚାର କ୍ରମେ ବାଂଲାଦେଶ ପ୍ରସ୍ତାବିତ ଶିଖର ସମ୍ମିଳନୀରେ ସାମିଲ ହେବାରେ ଅସମର୍ଥ।”

ଆଫଗାନିସ୍ତାନ ବି ଏହି କାରଣରୁ ଆସନ୍ତା ସାର୍କ ଶିଖର ସମ୍ମିଳନୀରେ ସାମିଲ ନହେବାକୁ ସ୍ଥିର କରିଛି। ଫଳରେ ଅନ୍ତର୍ଜାତୀୟ ସ୍ତରରେ ପାକିସ୍ତାନକୁ ଏକଘରିଆ କରିବା ପାଇଁ ଭାରତ ଚଳାଇଥିବା ଉଦ୍ୟମକୁ ବଳ ମିଳିଛି।