ବ୍ୟାଙ୍କ ମ୍ୟାନେଜରଙ୍କ ବଦମାସି: କୃଷକଙ୍କ ପତ୍ନୀଙ୍କୁ କହିଲେ, ମୋ ସହିତ ରାତି ବିତାଇଲେ ଲୋନ୍ ମିଳିବ

ମୁମ୍ବାଇ: ବ୍ୟାଙ୍କ ମ୍ୟାନେଜରଙ୍କ ବିଚିତ୍ର ଡିଲ୍। ଋଣ ଦେବାକୁ କହି ରଖିଲେ ଜଘନ୍ୟ ସର୍ତ୍ତ। ଜଣେ କୃଷକ ଋଣ ପାଇଁ ଯାଇଥିବା ବେଳେ ସମ୍ପୃକ୍ତ ବ୍ୟାଙ୍କ ମ୍ୟାନେଜର ତାଙ୍କ ସ୍ତ୍ରୀଙ୍କ ସହ ସେକ୍ସ କରିବାକୁ ଡିମାଣ୍ଡ କରିଥିଲେ। ଏମିତି ଏକ ଘଟଣା ମହାରାଷ୍ଟ୍ରରେ ଘଟିଛି।

ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜର ଜଣଙ୍କ ହେଉଛନ୍ତି ବୁଲଢ଼ାଣା ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାର ମ୍ୟାନେଜର ରାଜେଶ ହିବାସେ। ସେ ଫେରାର ହୋଇଯାଇଛନ୍ତି। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଟିମ୍‌ ୱାର୍ଧା ଏବଂ ନାଗପୁର ଯାଇଛି। ନାଗପୁରରେ ଅଭିଯୁକ୍ତ ବ୍ୟାଙ୍କ ମ୍ୟାନେଜରଙ୍କ ଘର।

ପୋଲିସର କହିବା ଅନୁଯାୟୀ ଅଭିଯୋଗ କରିଥିବା କୃଷକଙ୍କ ଘର ବୁଲଢ଼ାଣା ଜିଲ୍ଲା ଦତାଲା ଗାଁରେ। କୃଷକ ଜଣଙ୍କ ଚାଷ ପାଇଁ ଲୋନ୍‌ ନେବାକୁ ତାଙ୍କ ପତ୍ନୀଙ୍କ ସହିତ ବ୍ୟାଙ୍କକୁ ଯାଇଥିଲେ। ପେପର ଯାଞ୍ଚ ପରେ ବ୍ୟାଙ୍କ ମ୍ୟାନେଜର ଜଣଙ୍କ ତାଙ୍କ ଫୋନ୍‌ ନମ୍ବର କୃଷକଙ୍କୁ ଦେଇଥିଲେ। ଏହାପରେ ମ୍ୟାନେଜର କୃଷକଙ୍କ ଘରକୁ ବ୍ୟାଙ୍କର ପିଅନ ମନୋଜ ଚୌହାନଙ୍କୁ ପଠାଇଥିଲେ। ମନୋଜ କୃଷକଙ୍କ ସ୍ତ୍ରୀଙ୍କୁ ମ୍ୟାନେଜରଙ୍କ ସହ ଫୋନ୍‌ରେ କଥା ହେବା ପାଇଁ କହିଥିଲେ। ମ୍ୟାନେଜରଙ୍କୁ ଫୋନ୍‌ ଲଗାଇବା ପରେ ସେ ଲୋନ୍‌ ନେବାକୁ ହେଲେ ତାଙ୍କ ସହ ରାତି ବିତାଇବାକୁ ହେବ ବୋଲି କୃଷକଙ୍କ ସ୍ତ୍ରୀଙ୍କୁ କହିଥିଲେ। ଗତ ସୋମବାର ଦିନ ସେ ଫୋନ୍ କରି କୃଷକଙ୍କ ସ୍ତ୍ରୀଙ୍କୁ ଏହା କହିଥିଲେ। ତା’ପରେ ଗୁରୁବାର ଦିନ ସେ ପୋଲିସ୍‌ରେ ଏନେଇ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଉଭୟ ମ୍ୟାନେଜର ଓ ପିଅନ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କୃଷକଙ୍କ ପତ୍ନୀ ଓ ବ୍ୟାଙ୍କ ମ୍ୟାନେଜରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ ରେକର୍ଡ ବି ପୋଲିସ୍‌ର ହସ୍ତଗତ ହୋଇଛି। ମ୍ୟାନେଜରଙ୍କ ସହ କଥାବାର୍ତ୍ତା ହେବା ବେଳେ କୃଷକଙ୍କ ପତ୍ନୀ ସବୁ କଥା ମୋବାଇଲରେ ରେକର୍ଡ କରି ଦେଇଥିଲେ। ଉକ୍ତ ପିଅନଙ୍କୁ ପୋଲିସ୍ ଗିରଫ କରିଛି।

ସେପଟେ ଏକଥା ଜାଣିବା ପରେ ଗାଁ ଲୋକେ ଦତାଲାରେ ଥିବା ଉକ୍ତ ବ୍ୟାଙ୍କର ଶାଖା ବାହାରେ ବିରୋଧ ପ୍ରଦର୍ଶନ କରିଥିଲେ।