କଂଗ୍ରେସ ଏମ୍‌ପିଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ବାର୍‌ କାଉନ୍‌ସିଲ

ନୂଆଦିଲ୍ଲୀ(ଓଡିଶା ରିପୋର୍ଟର): ସୁପ୍ରିମ୍‌ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତବ ଆଣିବାକୁ ପ୍ରସ୍ତୁତ ହେଉଥିବା କଂଗ୍ରେସର ୩ ଏମ୍‌ପିଙ୍କ ଉପର ପ୍ରତିବନ୍ଧକ ଲଗାଇଛି ବାର କାଉନ୍‌ସିଲ ଅଫ୍‌ ଇଣ୍ଡିଆ। ଯଦି ଏହି ୩ ସାଂସଦ ମାନ୍ୟବର ମୁଖ୍ୟ ନ୍ୟାୟାଧୀଶଙ୍କ ଉପରେ ଏଭଳି ପଦକ୍ଷେପ ନେବେ ତେବେ ସେମାନଙ୍କୁ ଏହି କୋର୍ଟରେ ଓକିଲାତି କରିବାକୁ ଦିଆଯିବ ନାହିଁ। ବାର୍‌ କାଉନ୍‌ସିଲ ଅଫି ଇଣ୍ଡିଆ ଏହି ନିଷ୍ପତ୍ତି ନେଇଛନ୍ତି। କାଉନ୍‌ସିଲଙ୍କ ମୁତାବକି କେହି ବି ଏମିତି ଓକିଲ ଯେଉଁମାନେ କି ଏମ୍‌ପି କିମ୍ବା ଏମ୍‌ଏଲଏ ଭଳି ସାମ୍ବିଧାନିକ ପଦବୀରେ ରହିଛନ୍ତି ଯଦି ସେମାନେ ହାଇକୋର୍ଟ ଅଥବା ସୁପ୍ରିମ୍‌ କୋର୍ଟର ନ୍ୟାୟାଧିଶଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣନ୍ତି ତେବେ ସେମାନଙ୍କ କାର୍ଯ୍ୟରେ ଅଙ୍କୁଶ ଲାଗିବ  ଏବଂ କେସ୍‌ ଲଢିବାକୁ ଦିଆଯିବ ନାହିଁ।

କପିଲ ସିବ୍ବଲ, ଅଭିଷେକ ମନୁ ସିନ୍ଧବି ଓ ବିବେକ ତନ୍‌ଖା ହେଉଛନ୍ତି ଏହି ୩ ବିବାଦୀୟ କଂଗ୍ରେସ ଏମ୍‌ପି ଯେଉଁମାନେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଯୋଜନା କରୁଛନ୍ତି। ବାର୍‌ କାଉନ୍‌ସିଲ ଅଫ୍‌ ଇଣ୍ଡିଆର ଅଧ୍ୟକ୍ଷ ମନନ ମିଶ୍ର କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଅଧିକରୁ ଅଧିକ ବାର୍‌ ସଦସ୍ୟଙ୍କ ସହମତି ରହିଛି। ଏଣୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏଣେ ଏଭଳି ପ୍ରତିବନ୍ଧକକୁ ଉପରୋକ୍ତ ୩ ଏମ୍‌ପି ତଥା ବରିଷ୍ଠ ଆଇନ୍‌ଜୀବୀ ନାପସନ୍ଦ କରିବା ସହ ଏଭଳି କୌଣସି ନିୟମ ନାହିଁ ବୋଲି କହିଛନ୍ତି।