ମିଚ୍ଛିଲ ସେକ୍ଟରରେ ବରଫ ଅତଡ଼ା ଖସି ୫ ଯବାନ ନିଖୋଜ

ଶ୍ରୀନଗର: ଜାମ୍ମୁ କାଶ୍ମୀରର କୁପୱାରା ଜିଲ୍ଲା ଅନ୍ତର୍ଗତ ମିଚ୍ଛିଲ ସେକ୍ଟରରେ ବରଫ ଅତଡ଼ା ଖସି ୫ ଜଣ ଯବାନ ନିଖୋଜ ଅଛନ୍ତି। ସୀମାରେ ୫୬ ରାଷ୍ଟ୍ରୀୟ ରାଇଫଲ୍ସ ଯବାନମାନେ ମୁତୟନ ଥିବା ବେଳେ  ବଡ଼ ଧରଣର ବରଫ ଅତଡ଼ା ଧସିଥିଲା। ଫଳରେ ୫ଜଣ ଯବାନ ବରଫ ଅତଡ଼ା ତଳେ ରହିଯାଇଥିଲେ। ଯବାନମାନଙ୍କୁ ଉଦ୍ଧାର କରିବା ପାଇଁ ସେନା ପକ୍ଷରୁ ଉଦ୍ୟମ ଜାରି ରହିଛି।

ଏହା ପୂର୍ବରୁ ଜାମ୍ମୁ କାଶ୍ମୀରର ଗୁରେଜ୍‌ ସେକ୍ଟରରେ  ଗତ ୨୫ ତାରିଖରେ ବରଫ ଅତଡ଼ା  ଧସିବାରୁ  ୧୫ ଜଣ ଯବାନଙ୍କ ମୃତ୍ୟୁ ହୋଇଥିଲା। ଜାମ୍ମୁ-କାଶ୍ମୀରରେ ଚଳିତ ବର୍ଷ ସର୍ବାଧିକ ଶୀତ ଅନୁଭୂତ ହେଉଥିବାରୁ ଏହାର ପ୍ରଭାବରେ ବରଫ ଅତଡ଼ା ଧସିବାରେ ଲାଗିଛି। ଏଥିପାଇଁ କୁପୱାର, ବାନ୍ଦପୋରା,ବାରାମୁଲା, ଗଣ୍ଡେରବାଲ ଓ ବଡ଼ଗାଓଁରେ ବରଫ ଅତଡ଼ା ଧସିବା ନେଇ ସେନା ପକ୍ଷରୁ ସତର୍କତା ଜାରି କରାଯାଇଛି।