ବାରଣାସୀରେ ବର୍ଷା: ମୋଦିଙ୍କ ଗସ୍ତ ବାତିଲ

ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାରଣାସୀ ଗସ୍ତ ବାତିଲ ହୋଇଯାଇଛି। ଆଜି ସେ ସେଠାରେ ଇଣ୍ଟିଗ୍ରେଟେଡ୍ ପାୱାର ସ୍କିମର ଡେଭଲପମେଣ୍ଟ ବା ସମନ୍ୱିତ ଶକ୍ତି ବିକାଶ ଯୋଜନାର ଶୁଭାରମ୍ଭ କରି ଥାଆନ୍ତେ।

ଗତକାଲି ରାତିରୁ ବାରଣାସୀରେ ପ୍ରବଳ ବର୍ଷା ହେଉଛି। ପ୍ରଧାନମନ୍ତ୍ରୀ ଯେଉଁ ପଡ଼ିଆରେ ଲୋକମାନଙ୍କୁ ସମ୍ବୋଧିତ କରିଥାଆନ୍ତେ ତାହା ପୂରା ପାଣିରେ ଭର୍ତ୍ତି ହୋଇଯାଇଛି।

ଦେଶର ସହରାଞ୍ଚଳରେ ବିଦ୍ୟୁତ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ସମସ୍ତଙ୍କୁ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଣ ଲକ୍ଷ୍ୟରେ ଏହି ଯୋଜନା ପ୍ରସ୍ତୁତ ହୋଇଛି। ଯୋଜନା ଅନୁଯାୟୀ, ବିଦ୍ୟୁତ୍ ଯୋଗାଣ କ୍ଷେତ୍ରର ବିକାଶ ଲାଗି ନୂଆ ସବଷ୍ଟେସନ ପ୍ରତିଷ୍ଠା, ପୁରୁଣା ସବ୍ ଷ୍ଟେସନର ଉନ୍ନତିକରଣ,ଚୋରି ରୋକିବା ଲାଗି କେବୁଲ ବ୍ୟବହାର ଓ ଭୁତଳ କେବୁଲ ବ୍ୟବସ୍ଥାର ବିକାଶ କରାଯିବ। ବିତରଣରେ କ୍ଷେତ୍ରରେ ଉନ୍ନତି ଆଣିବା ଲାଗି ମିଟର ସଂଯୋଗ ସୁନିଶ୍ଚିତ କରିବା, ଗ୍ରାହକ ସେବାରେ ଉନ୍ନତି, ଅଡିଟ୍ ଓ ଆକାଉଣ୍ଟିଂ ବ୍ୟବସ୍ଥାରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ଓ ବିଦ୍ୟୁତ୍ ଶୁଳ୍କ ସଂଗ୍ରହ ବ୍ୟବସ୍ଥାକୁ ମଜଭୁତ କରାଯିବ। ସେହିପରି ସରକାରୀ ବିଲଡିଂରେ ସୋଲାର ପ୍ୟାନେଲ ବ୍ୟବହାର, ବିଦ୍ୟୁତ୍ ଉତ୍ପାଦନ ବୃଦ୍ଧି ଲାଗି ଚାଲିଥିବା ପୁନର୍ବିନ୍ୟାସ କାର୍ଯ୍ୟ ଓ ବିଦ୍ୟୁତ୍ ସଂସ୍କାର କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ କରିବା ଲାଗି ମଧ୍ୟ ଲକ୍ଷ୍ୟ ରଖାଯାଇଛି। ଏଥିଲାଗି କେନ୍ଦ୍ର ସରକାର ୪୫ହଜାର ୮ଶହ କୋଟି ଟଙ୍କ। ଯୋଗାଇ ଦେବେ। ଏଥିମଧ୍ୟରୁ ଉତ୍ତରପ୍ରଦେଶକୁ ୧ହଜାର ୬୭ କୋଟି ଟଙ୍କ। ଯୋଗାଇ ଦିଆଯାଇଥିବା ବେଳେ କେବଳ ବାରଣାସୀ ଲାଗି ୫୭୨ କୋଟି ଟଙ୍କ। ଦିଆଯାଇଛି।