ପବ୍ ଭିତରେ ବିଅର ଯୋଗ: ଢୋକେ ଚିଲ୍ଡ ବିଅର ପିଅ, ଶରୀରରେ ବୋତଲ ଥୋଇ ଯୋଗାସନ କର

କାହାର ଋଚି କେମିତି। କିଏ କିଏ ସ୍ୱାସ୍ଥ୍ୟକୁ ସମ୍ପଦ ବୋଲି ଭାବନ୍ତି, ତ ଆଉକିଏ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ନଦେଇ ନିଜ କାମରେ ମାତେ। କିଛି ଲୋକ ଅଛନ୍ତି ଯେଉଁମାନେ ମନେପଡ଼ିଲେ ହିଁ ଏକ୍ସରସାଇଜ୍ କରନ୍ତି।

ଶରୀରକୁ ସୁସ୍ଥ ଓ ରୋଗମୁକ୍ତ ରଖିବାକୁ ଆଜିକାଲି ଲୋକେ ଆପଣେଇ ନେଇଛନ୍ତି ଯୋଗାସନକୁ। ସକାଳୁ ଉଠି କିଛି ସମୟ ଯୋଗ କଲେ ଶରୀର ସୁସ୍ଥ ରହେ। ଭୟଙ୍କର ରୋଗରୁ ମୁକ୍ତି ମିଳେ। ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ଏହି ଦିନଟିକୁ ପାଳିବାକୁ ବିଶ୍ୱର ବିଭିନ୍ନ ସ୍ଥାନରେ ସମୂହ ଯୋଗ ଶିବିରର ଆୟୋଜନ କରାଯାଇଛି। ଯୋଗ କରି କିଛି ଲୋକ ସୋସିଆଲ ମିଡିଆରେ ବି ନିଜ ଫଟୋ ପୋଷ୍ଟ କରିଛନ୍ତି। ତେବେ କିଛି ଲୋକ ନିଜ ଢଙ୍ଗରେ ଯୋଗ ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି। ଯୋଗ ଯେ ଏକ ସାତ୍ତ୍ୱିକ ବ୍ୟାୟାମ ପ୍ରକ୍ରିୟା ତାହା କିଛି ଲୋକ ଭୁଲି ବି ଯାଆନ୍ତି। ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା ଲଣ୍ଡନରେ।

ବିଅର ଯୋଗ। କଣ ଏହି ଯୋଗ। ଲଣ୍ଡନର ଗୋଟିଏ ଗୋଷ୍ଠୀ ବା କମ୍ୟୁନିଟିର ଲୋକେ ଏକ ପବ୍‌ରେ ଆୟୋଜନ କରିଥିଲେ ଏହି ଯୋଗ ଶିବିର। ଲୋକେ ଯୋଗ କରିବାର ଦୃଶ୍ୟ ବି ଥିଲା ଅତି ରୋଚକ। ସମସ୍ତଙ୍କ ହାତରେ ଥିଲା ଗୋଟିଏ ଲେଖାଁ ଚିଲ୍ଡ ବିଅର ବୋତଲ। ଯୋଗ ଆରମ୍ଭରୁ ପ୍ରଥମେ ସମସ୍ତେ ଗୋଟିଏ ଢୋକ ଥଣ୍ଡା ବିଅର ପିଉଥିଲେ। ଆଉ ତା’ ପରେ ଆରମ୍ଭ କରୁଥିଲେ ଯୋଗାସନ। ଖାଲି ସେତିକି ନୁହେଁ ବେଳେବେଳେ ବିଅର ବୋତଲକୁ ନିଜ ଶରୀର ଉପରେ ରଖି ସନ୍ତୁଳନ ରକ୍ଷା ସହ ଆସନ କରୁଥିଲେ। ପ୍ରଶ୍ନ ଉଠୁଛି ଯୋଗ କରିବାର ଏପରି ବିଚିତ୍ର ଢଙ୍ଗ କାହିଁକି ଆପଣେଇଲେ ଏହାର ଆଯୋଜକ। ପ୍ରଶିକ୍ଷକଙ୍କ ଉତ୍ତର ହେଲା, ଉଭୟ ଯୋଗ ଓ ବିଅର ମଣିଷ ଶରୀର ପାଇଁ ଉପକାରୀ। ତେଣୁ ବିଅର ପିଇ ପିଇ ଯୋଗ କଲେ ଶାରୀରିକ ଶକ୍ତି ବୃଦ୍ଧି ପାଇବା ସହ ମାନସିକ ଶାନ୍ତି ବି ମିଳିଥାଏ।