ପୂର୍ବରୁ ୭ ଥର ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ କରିଛନ୍ତି ଶାସନ

ଜମ୍ମୁ: ମେଣ୍ଟ ସରକାରରୁ ବିଜେପି ଓହରିଯିବା ପରେ ଜାମ୍ମୁ ଓ କାଶ୍ମୀରରେ ରାଜନୈତିକ ଅଚଳାବସ୍ଥା ଦେଖାଦେଇଥିଲା। ଏହାର ଗୋଟିଏ ଦିନ ପରେ ଆଜି ରାଜ୍ୟପାଳ ଶାସନ ପାଇଁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମିଳିଥିଲା। ଫଳରେ ଆଜିଠୁ ରାଜ୍ୟରେ ରାଜ୍ୟପାଳ ଶାସନ ଲାଗୁ ହୋଇଛି। ଗତକାଲି ଗତ ତିନି ବର୍ଷ ଧରି ଚାଲିଥିବା ବିଜେପି-ପିଡିପି ମେଣ୍ଟ ସରକାରରୁ ବିଜେପି ଓହରି ଯିବାପରେ ମୁଖ୍ୟମନ୍ତ୍ରୀ ପଦରୁ ମେହବୁବା ମୁଫତି ଇସ୍ତଫା ଦେଇଥିଲେ। ତେବେ ରାଜ୍ୟରେ ପ୍ରଥମ ଥର ଏମିତି ରାଜ୍ୟପାଳ ଶାସନ ଲାଗୁ ହୋଇନାହିଁ। ଏହା ପୂର୍ବରୁ ୭ ଥର ଜାମ୍ମୁ ଓ କାଶ୍ମୀରରେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା। ଆସନ୍ତୁ ଜାଣିବା କେବେ କେବେ ରାଜ୍ୟପାଳ ଶାସନ ଲାଗୁ ହୋଇଥିଲା।

୧୯୭୭ରେ ଜାମ୍ମୁ ଓ କାଶ୍ମୀରରେ ଶେଖ ଅବଦୁଲ୍ଲାଙ୍କ ନ୍ୟାସନଲ କନଫରେନ୍ସ ସରକାର ଥିବା ବେଳେ ପ୍ରଥମ ଥର ପାଇଁ ରାଜ୍ୟପାଳ ଶାସନ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସେହିବର୍ଷ ୨୬ ମାର୍ଚ୍ଚରେ ୧୦୫ ଦିନ ପାଇଁ ରାଜ୍ୟରେ ଲାଗୁ ହୋଇଥିଲା ରାଜ୍ୟପାଳ ଶାସନ।

ଏହାପରେ ୬ ମାର୍ଚ୍ଚ ୧୯୮୬ରେ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ଲାଗୁ ହୋଇଥିଲା ରାଜ୍ୟପାଳ ଶାସନ। ସେତବେଳର ଗୁମାଲ ମହମ୍ମଦ ସରକାରଠାରୁ କଂଗ୍ରେସ ଏହାର ସମର୍ଥନ ଫେରାଇ ନେବାରୁ ଏପରି ହୋଇଥିଲା। ଯାହା ପାଖାପାଖି ୨୪୬ ଦିନ ପର୍ଯ୍ୟନ୍ତ ରହିଥିଲା।

ତୃତୀୟ ଥର ପାଇଁ ୧୯ ଜାନୁଆରୀ ୧୯୯୦ ହୋଇଥିଲା ରାଜ୍ୟପାଳ ଶାସନ। ପାଖାପାଖି ୬ ବର୍ଷ ୨୬୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗୁ ହୋଇଥିଲା ରାଜ୍ୟପାଳ ଶାସନ। ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ସେତେବେଳେ ନିଜ ପଦରୁ ଇସ୍ତଫା ଦେବା ପରେ ରାଜ୍ୟପାଳ ଶାସନ ଆରମ୍ଭ ହୋଇଥିଲା। ଏହାର ଦୀର୍ଘ ୬ ବର୍ଷ ପରେ ଅର୍ଥାତ ୧୯୯୬ରେ ପୁଣି ନିର୍ବାଚନ ହୋଇଥିଲା।

୨୦୦୨ରେ ଚତୁର୍ଥ ଥର ପାଇଁ ଲାଗୁ ହୋଇଥିଲା ରାଜ୍ୟପାଳ ଶାସନ। ଏହାର ଅବଧି ମାତ୍ର ୧୫ ଦିନ ପର୍ଯ୍ରନ୍ତ ଥିଲା। ଝୁଲା ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଏଭଳି ପରିସ୍ଥିତି ଉପୁଜି ଥିଲା। ଏହାପରେ ପିଡିପି, କଂଗ୍ରେସ ସହ ମିଶି ମେଣ୍ଟ ସରକାର ଗଠନ କରିଥିଲା।

ପଞ୍ଚମ ଥର ପାଇଁ ୨୦୦୮ରେ କଂଗ୍ରେସ ପିଡିପି ଠାରୁ ଏହାର ସମର୍ଥନ ଫେରାଇ ନେବା ଫଳରେ ରାଜ୍ୟରେ ଲାଗୁ ହୋଇଥିଲା ରାଜ୍ୟପାଳ ଶାସନ। ପାଖାପାଖି ୧୭୮ ଦିନ ପାଇଁ ଜାରି ହୋଇଥିଲା ଏହି ଶାସନ।

୨୦୧୫ରେ ରାଜ୍ୟରେ ୫୧ ଦିନ ପାଇଁ ଲାଗୁ ହୋଇଥିଲା ରାଜ୍ୟପାଳ ଶାସନ। ବଢୁଥିବା ଉତ୍ତେଜନା କାରଣରୁ ସେତେବେଳେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନିଜ ପଦରୁ ଇସ୍ତଫା ଦେଇଥିଲେ। ଯେଉଁଥି ପାଇଁ ରାଜ୍ୟରେ ଲାଗୁ ହୋଇଥିଲା ରାଜ୍ୟପାଳ ଶାସନ। ଏହାପରେ ବିଜେପି -ପିଡିପି ମେଣ୍ଟ ସରକାର ଗଠନ କରିଥିଲେ।

ଶେଷ ଥର ପାଇଁ ୮ ଜନୁୟାରୀ  ୨୦୧୬ରେ ରାଜ୍ୟରେ ୮୭ ଦିନ ପାଇଁ ହୋଇଥିଲା ରାଜ୍ୟାପାଳ ଶାସନ। ପିଡିପି ମୁଖ୍ୟ ମୁଫିତ ମହମ୍ମଦ ସୟିଦଙ୍କ ମୃତ୍ୟୁ ପରେ ରାଜ୍ୟରେ ସପ୍ତମ ଥର ପାଇଁ ଲାଗୁ ହୋଇଥିଲା ରାଜ୍ୟପାଳ ଶାସନ ବ୍ୟବସ୍ଥା। ପିଡିପି କିଛି ସମୟ ପାଇଁ ବିଜେପି ସହ ସରକାରକୁ ଓହରିବା ନିଷ୍ପତ୍ତି ନେଇଥିଲା। ଏହାପରେ ବିଜେପି ଓ ପିଡିପି ପୁଣି ମେଣ୍ଟ କରି ଶାସନକୁ ଫେରିଥିଲେ ଏବଂ ୪ ଏପ୍ରିଲ ୨୦୧୬ରେ ମେହେବୁବା ମୁଫତି ଜମ୍ମୁ  ଓ କାଶ୍ମୀରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More